Unknown

 

 

 

 

 

 

 

 

 

କବିତା କଳାପ

(ପ୍ରଥମ ଭାଗ)

ଶ୍ରୀ ଗୋବିନ୍ଦ ରଥ

 

ସୂଚିପତ୍ର

 

୧.

ପୂର୍ଣ୍ଣିମାର ନିଶାକାଳ

୨.

ପଞ୍ଜୁରିବଦ୍ଧ ଶୁକପକ୍ଷୀ ପ୍ରତି

୩.

ପ୍ରକୃତିର ଶୋଭା

୪.

ଆଶା

୫.

ସ୍ୱଦେଶ

୬.

ଦ୍ୱୀପାନ୍ତରିତ ବ୍ୟକ୍ତିର ଖେଦ

୭.

ପୁରୁଷୋତ୍ତମର କେତେକ ଦୃଶ୍ୟ

୮.

ଇନ୍ଦୁମତୀ ସ୍ୱୟମ୍ବର

୯.

ଧ୍ରୁବଙ୍କ ପଳାୟନଜନିତ ସୁନୀତିଙ୍କର ରୋଦନ

୧୦.

ଶ୍ରମନପ୍ରତି

୧୧.

ପ୍ରଭାତ

୧୨.

ନୀତି

Image

 

ପୂର୍ଣ୍ଣିମାର ନିଶାକାଳ

 

ଆହା କି ବିଚିତ୍ର ଗଗନ ସୁଚିତ୍ର

ଚାରୁ ତାଗ୍‍ବଳୀ ଦୀପରୂପେ ଜ୍ୱଳି

ଅପୂର୍ବ ସୁନ୍ଦର ପ୍ରକୃତିରାଜ୍ୟେ ।

ନିସ୍ତବ୍ଧ ସକଳ ନାହିଁ କୋଳାହଳ

ସରିତର ଜଳ ହୁଏ କଳ କଳ

ସୁନିର୍ମଳ ବିଧୁମଣ୍ଡଳ ରାତେ ।

 

ଦେଖି ଚନ୍ଦ୍ର ରୂପ ଭାବେ ନାନା ରୂପ

ପ୍ରକୃତି ମସ୍ତକେ କେ ଦେଲା ଛଟକେ

ଏ ଚନ୍ଦନଟୋପା ଅତି ଯତନେ ।

କିବା ରୌପ୍ୟ ଥାଳୀ ଧରି ରାତ୍ରିବାଳୀ

ଭକ୍ତିସହକାରେ ଆନନ୍ଦଭାବରେ

ଉପହାରେ ପୂଜେ ଜଗଜ୍ଜୀବନେ ।

 

ମନ୍ଦସମୀରଣ ବହେ କ୍ଷଣ କ୍ଷଣ

ତନୁ ରୋମାଞ୍ଚିତ ପଲ୍ଲବ ଦୋଳିତ

ଶୁରୁ ଶୁରୁ ଶବ୍ଦ ତରୁରାଜିରେ ।

ଦେଖି ପବମାନ କରେ ଅନୁମାନ

ରଜନୀ କାମିନୀ ଭାବୁକ ମୋହିନୀ

କ୍ଷଣିକ ନିଶ୍ୱାସ ଛାଡ଼ୁଚି କିରେ ।

 

ନିଶାର ତୁଷାର ଅତି ଅନିବାର

ହୋଇ ଟପ ଟପ ପଡ଼େ ଥପ ଥପ

ଅଭିଷିକ୍ତ କରେ ମେଦିନୀ ଦେହେ ।

ନକ୍ଷତ୍ର ମଣ୍ଡିତା ଚନ୍ଦ୍ରେ ଆଲୋକିତା

ପବନ ସେବିତା ତହୁଁ ପୁଲକିତା

ରଜନୀ ଆନନ୍ଦ ଅଶ୍ରୁ କି ବହେ ।

 

ଭାରେ ଅବନତ ଅଟଇ ସତତ

ସୂର୍ଯ୍ୟରେ ତାପିତ ତେଣୁ କ୍ଳେଶାନ୍ୱିତ

ମେଦିନୀମଣ୍ଡଳ, ଏ ଭାବ ଜାଣି ।

ସତେ ନିଶାକର ହୋଇ ଦୟାପର

ତାର କ୍ଳେଶରାଶି ଦେବାକୁ କି ନାଶି

ସୁଶୀତଳ ଜଳ ସିଞ୍ଚଇ ଆଣି ।

 

ଯେତେ ରାତ୍ରିଚର ଗଗନେ ବିହାର

କରି ନାନାରୂପେ ପ୍ରହରୀ ସ୍ୱରୂପେ

ଦେଖନ୍ତି ପ୍ରକୃତି ଶୋଭା ନୟନେ ।

ସୁନୀଳ ସାଗର ପାଇ ଚନ୍ଦ୍ର କର

ଆହ୍ଲାଦେ ଫୁଲଇ ତେଜେ ଗରଜଇ

ସୁବର୍ଣ୍ଣ ସୁନ୍ଦର ରୂପ ଦର୍ଶନେ ।

 

ଭାବଇ ଭାବୁକ ହୋଇ ଜାଗରୂକ

ଏ କି ଚମତ୍କାର ନୀଳପାରାବାର

ସୁବର୍ଣ୍ଣସ୍ୱରୂପ ରୂପେ ବିରାଜେ ।

ନୁହେଁ ବା ସାଗର ସୁବର୍ଣ୍ଣ ଆକର

ତରଳତ ଦୋଇ ଏପରି ଫୁଟଇ

ମେଦିନୀ ଗର୍ଭର ତାପର କାର୍ଯ୍ୟେ ।

 

ଉନ୍ନତ ସୁନ୍ଦର ପୋତାଦି ନିକର

ସାଗର ବକ୍ଷରେ ଗମ୍ଭୀର ସ୍ୱରରେ

ମନ୍ଥି ଜଳରାଶି କରେ ଗମନ ।

ଭାବଇ ଭାବୁକ ହୋଇଣ ଉତ୍ସୁକ

ଭୂତଳ ଗଗନେ ସୁମଧୁର ସ୍ୱନେ

ପକ୍ଷୀଚୟ କି ଏ ଉଡ୍ଡୀୟମାନ ।

 

ଉନ୍ନତ ପର୍ବତ ତରୁଲତାବୃତ

ତହିଁରୁ ନିର୍ଝର ବହେ ଝର ଝର

ମର ମର ଶବ୍ଦେ ପୂର୍ଣ୍ଣ ସେ ସ୍ଥଳ ।

କୁସୁମକାନନେ ସେହି ରମ୍ୟସ୍ଥାନେ

ଈଶ୍ୱର ଭଜନେ ଋଷିଙ୍କର ମନେ

ଆନନ୍ଦରସ୍ରୋତ ହୁଏ ପ୍ରବଳ ।

 

ବିସ୍ତୀର୍ଣ୍ଣ କାନନ ତୁଙ୍ଗ ନିକେତନ

ନଗର ପ୍ରଦେଶ ଅନନ୍ତ ଆକାଶ

ସକଳେ ନିବେଶ ଯୋଗ ସାଧନେ ।

ପ୍ରଭୁଙ୍କ କ୍ଷମତା କରୁଛନ୍ତି ଚିନ୍ତା

ଗମ୍ଭୀର ଭାବରେ ଉଚ୍ଚ ଉଦେଶ୍ୟରେ

ଭାବୁକ ବିଚାରେ ଏ କଥା ମନେ ।

Image

 

ପଞ୍ଜୁରିବଦ୍ଧ ଶୁକପକ୍ଷୀ ପ୍ରତି

 

କି ଦୁର୍ଦ୍ଦଶା ଏବେ ତୋର ପକ୍ଷୀରାଜ,

ଭାବୁଛୁ ଜୀବନେ ଆଉ କିସ କାର୍ଯ୍ୟ,

ପେଚକ ବାୟସେ ସ୍ୱାଧୀନତାବଶେ

ମନର ହରଷେ ସବୁ ବୀରବେଶେ

ଉଠିଣ ଆକାଶେ କାଟନ୍ତି ଦିନ ।

 

ତୁହି ପଞ୍ଜୁରିରେ ପଡ଼ିଅଛୁ !!! ଶୁକ,

ହୋଇଅଛି ତୋର ଗୁରୁତର ଶୋକ,

ତୋର ସୁଖ ରବି ତୋର ମୁଖ ଛବି

ମଳିନତା ଲଭି ଗଲା ସବୁ ଲିଭି

ଦୁଃଖରାହୁ କରି ଅଛି ଅଶନ ।

 

ସରସୀ ଜୀବନ ପ୍ରଖର ତେଜରେ,

ବିନାଶ ଲଭିଲେ; ସବୁ ଜଳଚରେ,

ପଦ୍ମ କଇଁକୁଳ ସକଳେ ବ୍ୟାକୁଳ

ହୋଇ ଭୂମିତଳ ପଡ଼ନ୍ତି ଚଞ୍ଚଳ

ହୁଏ ତାଙ୍କ ବଳ ସବୁ ଅନ୍ତର ।

 

ସେହି ପରି ପକ୍ଷି ତୋ ମାନସ ସର,

ଦୁଃଖାନଳେ ଆଜି ଅତି ଶୀର୍ଣ୍ଣତର,

ତୋର ମନୋବୃତ୍ତି ଦୟା, ସ୍ନେହ, ପ୍ରୀତି

ଉତ୍ସାହ, ଉନ୍ନତି, ଆଶା ବଳବତୀ

ସକଳ ବିନାଶ ନୁହେଁ ଗୋଚର ।

 

କି ଭାବନା ପକ୍ଷି କରୁଅଛୁ ମନେ,

କ୍ରନ୍ଦନର ଚିହ୍ନଦେଖୁଁ ତୋ ନୟନେ,

ତଟିନୀ ପୁଳିନେ ନିବିଡ଼ କାନନେ

ସ୍ୱାଧୀନତା ଜ୍ଞାନେ ଭ୍ରମି ସ୍ଥାନେ ସ୍ଥାନେ

କଟାଇ ସମୟ ରୁହନ୍ତୁ ସୁଖେ ?

 

ତୋର ଖାଦ୍ୟ ସବୁ ନାନା ଜାତି ଫଳ,

ସୁସ୍ୱାଦୁ କଦଳୀ ସୁପକ୍ୱ ରସାଳ,

ଯାହାଙ୍କ ସ୍ପର୍ଶନ କଲେ କରି ସ୍ନାନ

ତୁଚ୍ଛ ପକ୍ଷୀଗଣ କରନ୍ତି ଭୋଜନ

ତୁହି ପଞ୍ଜୁରିରେ ପଡ଼ିଛୁ ଦୁଃଖେ ।

 

ଦୂରନ୍ତ କଠୋର ଶମନର ସମ,

କୁରୂପ କୁତ୍ସିତ ନିର୍ଦ୍ଦୟ ନିର୍ମମ,

କାକ ପେଚା ଦଳ ରହି ବୃକ୍ଷ ଡାଳ

ହୋଇଣ ସବଳ କରି ମହା ଗୋଳ

ସ୍ୱାର୍ଥରୋଗେ ଉଡ଼ୁଛନ୍ତି ଗଗନେ ।

 

ମୁହୂର୍ତ୍ତକ କ୍ଷଣେ ରେ ପକ୍ଷିରାଜନ,

ଦେଖନ୍ତେ ଜଗତେ ସର୍ବ ଜୀବଗଣ,

ଥିଲେ ତୋର ବଳ ଦେଖାଇ କୌଶଳ

ଆକାଶ ପାତାଳ ମର୍ତ୍ତ୍ୟ ଭୂମି ସ୍ଥଳ ।

କମ୍ପାଇ ଦିଅନ୍ତୁ ଔଷଧ ପାନେ

 

କିନ୍ତୁ ପକ୍ଷି ମୋର ଥିଲେ ବଳ, ବୀର୍ଯ୍ୟ,

ନିୟମ କରୁଛି କରନ୍ତି ସାହାଯ୍ୟ,

ମୋ ପ୍ରାଣପଣରେ ଦୃଢ଼ ପ୍ରତିଜ୍ଞାରେ

ରହି ଉଜାଗରେ କଠୋର କାର୍ଯ୍ୟରେ

ସ୍ୱାଧୀନ କରନ୍ତି ତୋ କଳେବର ।

 

କିପାଁ ପକ୍ଷି ତୋର ଲୋଚନେ ଲୋତକ,

ଚୋର ଘରେ ସଦା ରହେ କି ଆଲୋକ,

ଯାହା ହେବ ହେବ ତାହା ଦେଖା ଯିବ

 

 

ଭାଗ୍ୟରେ ଯେ ଥିବ ଅବଶ୍ୟ ଘଟିବ

ଭାବନାରେ ବୃଥା ନୁହ କାତର ।

 

ଅରଣ୍ୟସଂଚାରୀ ମହାଗଜ କେବେ,

ପଶୁରାଜେ ସିଂହ ପୁଣି ପରାଭବେ,

ଶୃଙ୍ଖଳେ ବନ୍ଧନ ହୁଅନ୍ତି ଅଧୀନ

ତୁତ କ୍ଷୁଦ୍ରଜୀବ କେତେ ବଳ ଥିବ

ତୋର ଅଧୀନତା କି ଚମତ୍କାର ।

 

ତେବେ କିନ୍ତୁ ପକ୍ଷି ଏ କଥା କହିବା,

ସେହି ପାପୀଜନେ ଘୋର ନିନ୍ଦା ଦେବା,

ଯେଉଁ ପାପୀଜନ ମହା ମୂଲ୍ୟବାନ

ସ୍ୱାଧୀନତାଧନ ତୋହର ହରଣ

କଲା, ପ୍ରତିଫଳ ଘଟୁ ତାହାର ।

 

ସବୁ ସମୟତ ସମାନ ନ ଯାଏ,

ସଦା କାହା ଦର୍ପ ଜାଗ୍ରତ ନ ଥାଏ,

ପର୍ବତ, ସାଗର ସିନ୍ଧୁ, ମହୀଧର

ଦୁର୍ବଳ, ସବଳ ସବଳ, ନିର୍ବଳ

ହେଉଚି ଦେଖୁଚୁ ତୁ ନୟନରେ ।

 

ଆଉ ପକ୍ଷୀବର ନ କର ତୁ ଚିନ୍ତା,

ଚିନ୍ତା ଯୋଗେ ଦେହ ଲଭିବ କୃଶତା,

ଅଖିଳର ପାତା ସର୍ବଜୀବଦାତା

କେ ଜାଣି ବିଧାତା ତୋର ସ୍ୱାଧୀନତା

ପୁନରୁପି ବାରେ ଘଟାଇ ପାରେ ।

Image

 

ପ୍ରକୃତିର ଶୋଭା

 

ପ୍ରକୃତିର ଶୋଭା କି ଚମତ୍କାର,

ଦେଖିଲେ ଆନନ୍ଦ ହୁଏ ଅପାର,

ପ୍ରକାଣ୍ଡ ଗଗନ କର ବିଲୋକନ

ଅସୀମ ଅନନ୍ତ ଅଟେ ଅମ୍ବର,

ନୀଳ, ପୀତ ବର୍ଣ୍ଣେ ତା କଳେବର,

ଧନ୍ୟ ଚିତ୍ରିଅଛି ଯେ ଚିତ୍ରକର ।

 

ବିପୁଳ ଗଗନେ ସ୍ୱଚ୍ଛନ୍ଦ ଭାବେ,

ଶ୍ରେଣୀବଦ୍ଧ ହୋଇ ସୁସ୍ୱର-ରାବେ,

ପକ୍ଷରେ ଆଘାତ କରି କରି ବାତ

ଯାନ୍ତି ପ୍ରତିଘାତ ବଳପ୍ରଭାବେ,

ପକ୍ଷୀଗଣ କଉତୁକେ ସ୍ୱଭାବେ,

କି ଆଶ୍ଚର୍ଯ୍ୟ ଶୋଭା ମୁଁ ମନେ ଭବେ ।

 

ସତେ ପକ୍ଷୀ ସୈନ୍ୟ ଏକତ୍ର ହୋଇ,

ସୁସଜ୍ଜିତ କାହିଁ ସମର ପାଇଁ,

ଗଗନ ମାର୍ଗରେ ତାହାଙ୍କ ରାଜ୍ୟରେ

ଅଧିକାର କରିଅଛି କି କେହି

ତାଙ୍କୁ ପରାଭବ ଦେବାକୁ ତହିଁ,

ବୀରବେଶେ ଯାନ୍ତି ଚଞ୍ଚଳ ହୋଇ ।

 

ବାଳଭାନୁ ରୂପ ବଡ଼ ସୁନ୍ଦର,

ଦେଖି ପ୍ରସ୍ଫୁଟିତ ପଦ୍ମନିକର,

ହେମ ଜିତ ବର୍ଣ୍ଣ କଲେ ବିଲୋକନ

ଉଲ୍ଲାସିତ ନୁହେଁ କାହା ଅନ୍ତର,

ଅନୁପମ ଶୋଭା କି ପଟାନ୍ତର,

ଉଛୁଳେ ଭାବୁକ ଭାବ ସାଗର ।

 

କ୍ରମେ କ୍ରମେ ଉଠି ଦିବସମଣି,

ପ୍ରଖର ତେଜରେ ଅଗ୍ନି କି ଜିଣି,

ଘୋର ଅନ୍ଧକାର କରନ୍ତି ସଂହାର

ବିତରିଣ ଲୋକେ ଆଲୋକପୁଣି,

ଆଶ୍ଚର୍ଯ୍ୟ ହୁଏ ମୁଁ ମନରେ ଗୁଣି,

କାହା ସୃଷ୍ଟ ଏହୁ କେ ସେହି ପ୍ରାଣୀ ।

 

ରଜନୀ ନାୟକ ଉଦୟ ହୋଇ,

କେମନ୍ତ ଅପୂର୍ବ ଶୋଭା ଦିଶଇ

କୁମୁଦିନୀମାନେ ସରସୀ ଜୀବନେ

ଆନନ୍ଦେ ହସନ୍ତି ମୁଖଫିଟାଇ,

ଶୀତଳ କିରଣ ଯୋଗରେ ମହୀ,

କି ଅମୂଲ୍ୟ ସୁଖ ଭୋଗ କରଇ ।

 

ଉଲ୍ଲାସେ ଫୁଲଇ ପୁଣି ସାଗର,

ନୀଳବର୍ଣ୍ଣରୂପ ଛାଡ଼ି ନିଜର,

ତାର ବର୍ଣ୍ଣ, ହୀନ କରଇ କାଞ୍ଚନ

କେବଳ କାରଣ ସେ ନିଶାକର,

ସେକାଳେ ଦର୍ଶନ କଲେ ସାଗର,

ବିମୋହିତ ନୁହେଁ କାହା ଅନ୍ତର ।

 

ବିପୁଳା ପୃଥିବୀ କର ଲୋକନ,

ଶୋଭାର ଭଣ୍ଡାର ଅଟେ ଏସ୍ଥାନ,

ନୟନଫେରାଇ ଯେଣେ ଦେବ ଚାହିଁ,

ତେଣେ ଲଗ୍ନ ହେବ ତୁମ୍ଭ ଲୋଚନ,

ଲୌହକୁ ଚୁମ୍ବକ ଟାଣେ ଯେସନ,

ଶୋଭା ଆକର୍ଷଇ ନେତ୍ର ତେସନ ।

 

ପୃଥ୍ୱୀଶିରାସମ ଉନ୍ନତ ଗିରି,

ତରୁ, ଲତା, ଗୁଳ୍ମ ଯା ଶିରଶିରୀ,

ତା ନିର୍ଝର ବନ କଲେକ ଲୋକନ,

ଉଦର ଆନନ୍ଦେ ଯାଉଛି ପୂରି,

ଭାବୁକ ମନରେ ଏ ଭାବ ଧରି,

ଭାବଇ ଏ ସବୁ କାହା ଚାତୁରି ।

 

ଅରଣ୍ୟ ମଧ୍ୟକୁ ଯେ ଯାଉ ଅଛି,

ସେହି ତାର ଶୋଭା ନେତ୍ରେ ଦେଖୁଛି,

ପଶୁ ପକ୍ଷିମାନେ ବିହରନ୍ତି ବନେ,

ମର ମର ଶବ୍ଦେ ପତ୍ର ଝଡ଼ୁଛି,

ଦେଖିଲେ ଭାବୁକ ମୋହ ହେଉଛି,

ଧନ୍ୟ ସେହି କର୍ତ୍ତା ଯେ ତା କରିଛି ।

 

ପର୍ବତ ନନ୍ଦିନୀ ରମ୍ୟ ତଟିନୀ,

ପତି ଦରଶନେ ଅନୁଧାବିନୀ,

କଳ କଳ ଧ୍ୱନି କରେ ସଦା ପୁଣି

ଆନନ୍ଦିତ ତାହା ସକଳେ ଶୁଣି,

ତାର ତୀରବର୍ତ୍ତୀ ବିଟପୀ ଶ୍ରେଣୀ,

ତୋଷନ୍ତି ଦର୍ଶକ ନୟନ ବେନି ।

 

 

 

ସୁରମ୍ୟ ଉଦ୍ୟାନ ମଧ୍ୟରେ ସର,

ହୋଇଛି ଯାହାର ନେତ୍ର ଗୋଚର,

ତାହାରି ସେ ଶୋଭା କେଡ଼େ ମନୋଲୋଭା

ଭାବୁଥିବ ସେହି ହୃଦ ମଧ୍ୟର,

କୁମୁଦ କୁସୁମ ପଦ୍ମନିକର,

ପ୍ରସ୍ଫୁଟିତ ବେଳେ କି ଶୋଭାକର ।

 

ସରସୀ ତୀରସ୍ଥ ତରୁଣଶ୍ରେଣୀର,

ଛାୟା ଜଳେ ପଡ଼ି କେଡ଼େ ସୁନ୍ଦର

ପବନ ହିଲ୍ଲୋଳେ ତରୁ ଯେବେ ଦୋଳେ

ଛାଇ ତାର ଜଳେ ସେହି ପ୍ରକାର,

ସରସୀ ଦର୍ପଣେ ମୁଖ ନିଜର,

ଦେଖୁଅଛନ୍ତି କି ସେ ତରୁବର ।

 

ଆକାଶେ ହୋଇଲେ ଚନ୍ଦ୍ର ଉଦିତ,

ଜଳେ ତାର ରୂପ ପ୍ରତିବିମ୍ବିତ,

କଉତୁକରେ ଭାବଇ ମନରେ

ଦେଖ ଦେଖ ଆହା କି ଆଚମ୍ବିତ,

ଊର୍ଦ୍ଧ୍ୱଭାଗେ ଚନ୍ଦ୍ର ଅଛି ଶୋଭିତ,

ଜଳେ ଏକ ଚନ୍ଦ୍ର କାହୁଁ ସ୍ଥାପିତ ।

 

ତୃଣାବୃତ କ୍ଷେତ୍ର ପ୍ରଭାତକାଳେ,

ମଣ୍ଡିତ ହୋଇଣ ତୁଷାରଜାଳେ,

ମୁକୁତା ନିଚୟ ଶୋଭାକୁ ବିଲୟ

କରଇ ଚଞ୍ଚଳେ, ମନ ବିହ୍ୱଳେ,

ହେବ କି ଏ ଶୋଭା ମନୁଷ୍ୟ ବଳେ,

ଧନ୍ୟ ଧନ୍ୟ ପ୍ରଭୁ କଳ କୌଶଳେ ।

Image

 

ଆଶା

 

ଧନ୍ୟ ଧନ୍ୟ ଆଶା ମହିମା ତୋର,

ଲେଖନୀରେ କିଏ କରିବ ସ୍ଥିର,

ତୁ ନ ଥିଲେ ଜୀବ ମରଣ ଲଭିବ

ଏଥିରେ ସନ୍ଦେହ ଅଛି କାହାର,

ସବୁସ୍ଥଳେ ଅଛି ତୋ ଅଧିକାର,

ତୋହ ସୀମା ହେବ କାହା ଗୋଚର ।

 

ଶୁଷ୍କଚର୍ମାବୃତ ପକ୍ୱ କୁନ୍ତଳ,

ଲୋଟୁଚି ଯେ ନର ଏ ଧରାତଳ,

ଦେହେ ନାହିଁ ବଳ ହୁଏ ଟଳ ଟଳ

ହସ୍ତ ପଦ, ଅବୟବ ଅଚଳ,

କିନ୍ତୁ ମାୟାମୋହ ତାର ପ୍ରବଳ,

ଆଶା ଦେଖାଉଛି କେତେ କୌଶଳ

 

ପତି ପରାୟଣା ସତୀ ନାରୀର,

ହୃଦୟବଲ୍ଲଭ ହେଲେ ଅନ୍ତର,

କ୍ଳେଶିତ ଜୀବନ ହୁଏ ତନୁ କ୍ଷୀନ୍ନ

ଦୁଃଖମୟ ବୋଧ ହୁଏ ସଂସାର,

କିନ୍ତୁ ଆଶା ବଳବତୀ ତାହାର,

ମାୟାମୋହେ ପଡ଼ି କରଇ ଘର ।

 

ଜୀବନ ସମାନ ଶିଶୁ ସନ୍ତାନ,

କାଳକବଳରେ ହେଲେ ପତନ,

ପିତା ମାତାଙ୍କର ଛିଡ଼େ ମାୟାଡୋର

ସଂସାର ଅନିତ୍ୟ ହୁଅଇ ଜ୍ଞାନ,

କିଛିକ୍ଷଣ ପୁଣି ହେଲେ କ୍ଷେପଣ,

ଆଶା ମାୟାମୋହେ କରେ ବନ୍ଧନ ।

 

ଜନକ ଜନନୀ ନିଜ ନନ୍ଦନ,

କରୁଛନ୍ତି ସଦା କଷ୍ଟେ ପାଳନ,

ରୋଗେ ବ୍ୟାକୁଳିତ ହେଲେ ତାଙ୍କ ସୁତ

ହୃଦୟ ଫାଟଇ ଶୁଖେ ବଦନ,

ଆରତେ କରନ୍ତି ମହାରୋଦନ,

ରଖନ୍ତି ଔଷଧ ଦେଇ ଜୀବନ ।

 

ଆଶା ଅଛି ଯେବେ ବୃଦ୍ଧକାଳରେ,

ଅବଶ ହୋଇବେ ନିଜ ବଳରେ,

ସେ କାଳରେ ପୁଣି ପୁତ୍ର କୁଳମଣି

ପାଳିବ ତାହାଙ୍କୁ ନିଜ ବଳରେ,

ଦିନ ହରାଇବେ ସୁକୌଶଳରେ,

କୀର୍ତ୍ତି ରଖିଯିବେ ମହୀତଳରେ ।

 

ଅରଣ୍ୟନିବାସୀ ତପସ୍ୱୀଗଣ,

ବନ ଫଳ ମୂଳ କରି ଭକ୍ଷଣ,

ଘୋରଶୀତକାଳେ ନିଦାଘ ଅନଳେ

ବରଷା ଦିନରେ କଷ୍ଟ ଲଭିଣ,

କରୁଛନ୍ତି ସଦା ଯୋଗସାଧନ,

ଆଶା ଅଛି ସ୍ୱର୍ଗେ ପାଇବେ ସ୍ଥାନ ।

 

କୃଷିଜୀବୀ କ୍ଷେତ୍ର କରି କର୍ଷଣ,

ବହୁ ଯତ୍ନେ କରେ ବୀଜରୋପଣ,

କ୍ଷେତ ଭଲ ହେଲେ ଶସ୍ୟ ଲାଭ କଲେ

କୁଟୁମ୍ବ କରିବ ପ୍ରତିପାଳନ,

ସୁଖରେ କାଟିବ ସକଳ ଦିନ,

ସଦା ଏହା ଆଶା ହୃଦେ ସ୍ଫୁରଣ ।

 

ସୁକୁମାରମତି ବାଳକଗଣ,

କରୁଛନ୍ତି ସଦା ବିଦ୍ୟାପଠନ,

ଆଶା ବଳବତୀ ହେଲେ ଜ୍ଞାନୋନ୍ନତି,

ଲଭିବେ ସୁଖ୍ୟାତି ପଦ ସମ୍ମାନ,

ବଢ଼ିବ ଗୌରବ ଦିନକୁ ଦିନ,

ଶୁକ୍ଳପକ୍ଷେ ଯେହ୍ନେ ବିଧୁବର୍ଦ୍ଧନ ।

 

ଆଶାବଦ୍ଧ ହୋଇ କେତେ ବଣିକ,

ଲଙ୍ଘି ମହା ମହା ପ୍ରତିବନ୍ଧକ,

ଅଗ୍ନି କ୍ଷେତ୍ରାବୃତ ତୁଷାର ମଣ୍ଡିତ

ରୁଷିଆ, ଇଙ୍ଗ୍‍ଲାଣ୍ଡ,ଚୀନ, ତୁରଷ୍କ,

ବୁଲୁଛନ୍ତି ସଦା ଅବନୀଯାକ,

ଆଶା ଅଛି ଧନେ ବଢ଼ିବ ଟେକ ।

 

ଦାସତ୍ୱ କରିବା ଯାହାର ମନ,

ସ୍ୱାମିକି କହେ ସେ ଚାଟୁବଚନ,

ସ୍ୱାମୀ ଅବା କେବେ ପ୍ରସନ୍ନ ହୋଇବେ

କରିବେ ବା ଉଚ୍ଚପଦପ୍ରଦାନ,

ଆଶାବଦ୍ଧ ହୋଇ ସେ ମୂର୍ଖଜନ,

ପ୍ରାଣପଣେ କରେ ଅନୁସରଣ ।

 

 

 

ସତ୍ୟ ଆଲୋଚକ ଗୁଣୀଜନର,

ଭୋଜନ ଶୟନେ ନାହିଁ ଆଦର,

ଆଶା ବଳବତୀ ଲଭିବେ ସୁଖ୍ୟାତି

ହୋଇଲେ ଜଗତେ ସତ୍ୟ ପ୍ରଚାର,

ରଜନୀ ଦିବସେ ଚିନ୍ତାଅପାର,

ଖୋଜନ୍ତି କାରଣ ପ୍ରତିକାର୍ଯ୍ୟର ।

 

ଆଶାଯୋଗେ ପର୍ତ୍ତୁଗିଜରାଜନ,

ଭାରତବର୍ଷକୁ ପଥଦର୍ଶନ–

କରି ଆନନ୍ଦିତ ହେଲେ ପୁଲକିତ

ଭାରତେ କରିବେ ଧନଅର୍ଜନ,

ଆଫ୍ରିକା ଦକ୍ଷିଣଭାଗର ସ୍ଥାନ,

କଲେ ‘‘ଉତ୍ତମାଶା’’ ନାମ ପ୍ରଦାନ ।

 

ଆଶାଯୋଗେ ‘‘କଲମ୍ବସ’’ ନାବିକ ।

ଚଳାଇଲେ ପୋତ ସାଗରଯାକ,

ଦେଖି ଆମେରିକା ଉଡ଼ାଇ ପତାକା

ଫେରିଲେ ଏ ଦେଶେ ସେ ସାହାସିକ,

ଆମେରିକା ଦେଶ ଜାଣିଲେ ଲୋକ,

ପଛେ ପୁଣି ଗଲେ କେତେ ବଣିକ ।

 

ପ୍ରବଳପ୍ରତାପୀ ରଣନିପୁଣ,

ବୀର ସିକନ୍ଦର ରିପୁଦଳନ,

କରି ଘୋରଯୁଦ୍ଧ କେତେ ଜନପଦ

ଲଭିଲେ ବହୁତ ନପଆସନ,

ନୋହିଲା ତାଙ୍କର ଆଶା ପୂରଣ,

ସିନ୍ଧୁତୀରେ କଲେ ବସି ରୋଦନ ।

 

ଆଶାବଦ୍ଧ ହୋଇ ଯବନଗଣ,

କଲେ ଭାରତରେ ପଦକ୍ଷେପଣ,

ଅମୂଲ୍ୟ ଭାରତ କରି କରଗତ

ପାଇଲେ ବହୁତ ମଣି କାଞ୍ଚନ,

ତଥାପି ନୋହିଲା ଆଶାପୂରଣ,

ଭାଙ୍ଗିଲେ ଅନେକ ଦେବଭବନ ।

 

ଆଶାରେ ଉତ୍ସାହୀ କ୍ଲାଇବ ବୀର,

ପଲାଶୀ ପ୍ରାଙ୍ଗଣେ କଲେ ସମର,

କମ୍ପାଇଲେ ଦେଶ ଦେଖାଇଲେ ତ୍ରାସ

ସିରାଜ ସୈନ୍ୟଙ୍କୁ କଲେକ ଦୂର,

 

 

ବଙ୍ଗେ ଉଡ଼ାଇଲେ ଧ୍ୱଜା ନିଜର,

ରଖିଲେ ଗୌରବ ଇଂରାଜଙ୍କର ।

 

ବାମା ଲକ୍ଷ୍ମୀବାଈ ଝାନସି ରାଣୀ,

ଅମୂଲ୍ୟ ସ୍ୱାଧୀନ ଭାବକୁ ଜାଣି,

ମନେ ମନେ ଗୁଣି କହିଲା ତରୁଣା

ଅନ୍ୟ କିଏ ନେବ ମୋରାଜ୍ୟ ପୁଣି,

ଆଶାଯୋଗେ ଯୁଦ୍ଧ କଲା କାମିନୀ,

ତା ଯଶ ଘୋଷୁଛି ଏବେ ମେଦିନୀ ।

Image

 

ସ୍ୱଦେଶ

 

ସ୍ୱଦେଶ କେମନ୍ତ ଅଟେ ମନୋମତ

କେ କହିବ ତା ବିଚାରି ।

ସ୍ୱଦେଶର ଶୋଭା କେଡ଼େ ମନୋଲୋଭା

ତା ପାଇଁ କେ ନୋହେ ଘାରି ।

ଦେଶ ତରୁବର ନଦୀ ସରୋବର

ସମସ୍ତେ ଯେ ମନୋହର ।

ଯେତେ ପଶୁପକ୍ଷୀ ଦେଖିବ ନିରେଖି

ସକଳେ ଗୁଣ ଆକର ।

ସ୍ୱଦେଶର କୀର୍ତ୍ତି ମନୋହର ମୂର୍ତ୍ତି

ଦେଖି ଛାତି ଫୁଲିଯାଏ ।

ସ୍ୱଦେଶୀୟ ରାଜା ସ୍ୱଦେଶୀୟ ପ୍ରଜା

ଦେଖି ତୋଷ କେ ନ ପାଏ ।

ସ୍ୱଦେଶ ଚଳଣି ଅତି ଭଲ ମଣି

ଚଳନ୍ତି ସମସ୍ତ ଜନେ ।

ବିଦେଶୀୟ ପ୍ରଥା କରନ୍ତି ଅନ୍ୟଥା

ଦୋଷ ବାଛି କରି ମନେ ।

ସ୍ୱଦେଶେ କି ସ୍ନେହ ନ ଦେଖିଲେ ଲୁହ

ନୟନୁ ହୁଏ ବାହାର ।

ଛନ ଛନ ମନ ଅତି ଉଚ୍ଚାଟନ

ଟାଣେ ଚୁମ୍ବକ ପ୍ରକାର ।

ଛାଡ଼ ଘର ଦ୍ୱାର ପୁତ୍ର ପରିବାର

ବିଦେଶେ ଯେହୁ ରହିବ ।

ସ୍ୱଦେଶୀୟ ମୁଖ ଦେଖି କେଡ଼େ ସୁଖ

ସେ ଅନୁଭବ କରିବ ।

ସ୍ୱଦେଶ ଉନ୍ନତି ପ୍ରଥମରେ ଚିନ୍ତି

ବିଦେଶ ଯେ ତାହା ପର ।

ଏହି ନିୟମରେ ବଦ୍ଧ ହୁଅ ବାରେ

ବିଜ୍ଞ, ରାଜା, ଧନେଶ୍ୱର ।

ଆହେ ଭ୍ରାତୃଗଣ ଶୁଣ ମୋ ବଚନ

ହୁଅ ବଦ୍ଧପରିକର ।

ପ୍ରତ୍ୟେକରେ ଆସ କରିବା ସ୍ୱଦେଶ

ମୁଖକୁ ଉଜ୍ଜ୍ୱଳତର ।

ସ୍ୱଜାତି ଉନ୍ନତି ଚିନ୍ତି ଦିନ ରାତି

ସାଧନେ ହୁଅ ତତ୍ପର ।

ସ୍ୱଦେଶ ଗୌରବ କରି ଅନୁଭବ

ଜନମ ସାର୍ଥକ କର ।

ସ୍ୱଦେଶ ପ୍ରେମରେ ମୁଗ୍ଧ ହୋଇବାରେ

ଧୀରେ କି ନ କରିଛନ୍ତି ।

ପଢ଼ି ଇତିହାସ ନ କର ସାହସ

ଦେଖି ଉତ୍କଳର ଗତି ।

ଓଡ଼ିଶା ମୋହର ମର୍ତ୍ତ୍ୟ ସ୍ୱର୍ଗପୁର

ନ ଗଣଇଁ ମୁହିଁ ଆନ ।

ଅତି ମନୋହର ଜନପଦେଶ୍ୱର

ଥିଲେ ମଧ୍ୟ ବହୁସ୍ଥାନ ।

ସ୍ୱଦେଶୀୟ ଜନ ବଦନ ଲୋକନ

କରି ପ୍ରେମାମୃତ ପାନ ।

ସୁଖେ ନେବି ଦିନ ରହିବି ସ୍ୱାଧୀନ

ଏହି କାମନା ପ୍ରଧାନ ।

ଓଡ଼ିଶା ଭାବନା ଉନ୍ନତି କାମନା

ହୁଏ ମୋର ନିରନ୍ତର ।

ଜଗତକାରଣ ପତିତପାବନ

ଉତ୍କଳର ଦୁଃଖ ହର ।

ନାନା ଶସ୍ୟ ହେଉ ସୁଖେ ଦିନ ଯାଉ

ରହୁନ୍ତୁ ମୋ ଭାଇଗଣେ ।

ନାନା ଗ୍ରନ୍ଥେ ପଢ଼ି ହୁଅନ୍ତୁ ସଜାଡ଼ି

ଦେଖନ୍ତୁ ଜଗତଜନେ ।

ବହୁତ ବାଣିଜ୍ୟ ହେଉ ଏହି ରାଜ୍ୟ

ଧନରେ ଅଳକା ସମ ।

ମହା ବୀର ଶୂର ହୁଅନ୍ତୁ ବାହାର

ଯେହ୍ନେ ଭୀମ ପରାକ୍ରମ ।

ବାଜୁ ବୀରବାଜା ଉଡ଼ୁଥାଉ ଧ୍ୱଜା

ଚିରକାଳ ଉତ୍କଳର ।

ମହୀରେ ଆଦର୍ଶ ହେଉ ଏହି ଦେଶ

ଅନ୍ୟ ଅନ୍ୟ ଜାତିଙ୍କର ।

Image

 

ଦ୍ଵୀପାନ୍ତରିତ ବ୍ୟକ୍ତିର ଖେଦ

 

ଆଉ କି ଅମୂଲ୍ୟ ଧନ ଦୁଃଖିର ରତନ

ସୁଧାଂଶୁବଦନ ଶିଶୁ ହେବ ବିଲୋକନ

କରିବି ମୁଁ ଆଲିଙ୍ଗନ ସ୍ନେହେ ଦେବି ଚୁମ୍ବଦାନ

ତା କୋମଳ ଗଣ୍ଡସ୍ଥଳେ ଏଡ଼ି ସ୍ୱର୍ଗସ୍ଥାନ

ଏ ଜୀବନେ ଘଟିବ କି ଜଗତଜୀବନ

ତାପିତ ପ୍ରାଣ ଶୀତଳ କରିବ ଏ ଦୀନ ।

 

ଆହା ମୋ ପ୍ରେୟସୀ ବାଳା ଲୋଟି ଭୂମିତଳେ

ମୋ ବିରହେ ଦେଇଥିବ କରକୁ କପାଳେ

ନୟନୁ ଲୋତକଧାର ବହୁଥିବ ବାରମ୍ବାର

ଡ଼ାକୁଥିବ ‘‘ଦୀନନାଥ’’ ! ଦୁଃଖ ଅସମ୍ଭାଳେ

ଲିଭାଅ ଜୀବନଦୀପ ମୋହର ଚଞ୍ଚଳେ

ଦୁଃଖିନୀ କ୍ଳେଶ ନ ପାଉ ଏ ମହୀମଣ୍ଡଳେ ।

 

ଆହା ମୋ ପ୍ରାଣଦାୟିନୀ ଦୁଃଖିନୀ ଜନନୀ

ମୋହପାଇଁ ଭାବୁଥିବେ ଦିବସ ରଜନୀ

କାହିଁ ଗଲା ପୁତ୍ର ମୋର ଏ ପୁର କରି ଅନ୍ଧାର

ଏହି କଥା ରଟୁଥିବେ ହୋଇ ବାତୁଳାନୀ

ମଳିନବସନୀ ଆହା ମଳିନବଦନୀ

ମତେ ଦେଖି ହେବେ ସତେ ଆନନ୍ଦଭାଷିଣୀ

 

ଆହା ମୋର ବୃଦ୍ଧତାତ ଥିବେ ଶଯ୍ୟାଗତ

ଅତିଖରେ ବହୁଥିବ ନିଶ୍ୱାସ ନିୟତ

ଡାକୁଥିବେ ଆର୍ତ୍ତସ୍ୱରେ ପ୍ରଭୁ ଶ୍ରୀ ଜଗଦୀଶ୍ୱରେ

ମାଗୁଥିବେ ମୋ ପୁତ୍ରକୁ ଦିଅ ହେ ତୁରିତ

ଏମନ୍ତ ସମୟେ ମୁଁ କି ହେବି ତହିଁ ସ୍ଥିତ

କୋଳାଗ୍ରତ କରି ସେହି ହେବେ ଆନନ୍ଦିତ ।

 

ମୋ ଜୀବନ ଧନ ସବୁ ମୋର ବନ୍ଧୁଗଣ

ମୋ ବିହୀନେ ହେଉଥିବ ତାଙ୍କ ମନ ଛନ

ପଡ଼ୁଥିବ ମୋର କଥା ହୃଦେ ଲଭୁଥିବେ ବ୍ୟଥା

ଈଶ୍ୱରଙ୍କୁ କରୁଥିବେ ମୋର ନିବେଦନ

ଏମନ୍ତ ସମୟେ ତହିଁ କରି ଆଗମନ

ହରିବିକି ସେହି ବ୍ୟଥା ଦେଇଣ ଦର୍ଶନ ।

 

ସାଇ ପଡ଼ୋଶୀ ଆଦି ସେ ଗ୍ରାମବାସୀଗଣ

ଯେହୁ କରୁଥିଲେ ମତେ ସ୍ନେହେ ଦରଶନ

ଦଳ ଦଳ ହୋଇ ବସି ଭାବୁଥିବେ ଦିବା ନିଶି

ଏ ମନ୍ଦଭାଗ୍ୟର ହେଲା କି ଦୁଃଖ ଘଟନ

ହେବ କି ଏ ଜନ୍ମେ ତାର ପୁଣି ଉଦ୍ଧାରଣ

ମତେ ଦେଖି ଆଚମିତ ହେବେ ସେ ତକ୍ଷଣ ।

 

ଗ୍ରାମଉପବନେ ଆଉ କରିବି ଭ୍ରମଣ

ମନ୍ଦମନ୍ଦ ବହୁଥିବ ଶୀତସମୀରଣ

ନାନାପୁଷ୍ପମକରନ୍ଦ ଘ୍ରାଣେ ଦେଉଥିବ ଗନ୍ଧ

ମରମର ଶବ୍ଦ କର୍ଣ୍ଣେ ହୋଇବ ଶ୍ରବଣ

ଗୁଣୁଗୁଣୁ ଗାଉଥିବେ ମଧୁକରଗଣ

ଲତା ଗୁଳ୍ମ ହୋଇଥିବେ ନୟନ ରଞ୍ଜନ ।

 

ସମୁଦ୍ରବାହିନୀ ଆହା ଗ୍ରାମର ତଟିନୀ

କଳକଳ ଯାର ଜଳ ସଦା କରେ ଧ୍ୱନି

କର୍ଣ୍ଣପଥେ ଯାଏ ‘‘ତରୀ’’ ବିଜ୍ଞାନ ନିୟମ ଧରି

ତାର ତୀରେ ସ୍ତରାବଳୀ ଆହା କି ଗଠନୀ ।

ଭାବୁକଜନର ମନ ନିଏ ଯେହୁ କିଣି

ଆଉ କି ଦେଖିବେ ତାହା ମୋ ନୟନବେନି ।

 

ଗ୍ରାମର ନିକଟବର୍ତ୍ତୀ ଉନ୍ନତପର୍ବତ

କରିଚି ସତେ ଗଗନ ଯେହୁ ଦ୍ୱିଖଣ୍ଡିତ

ତରୁରାଜିରେ ଶିଖର ଅଟେ ଅତି ମନୋହର

ଅନୁପମ ଶୋଭାରାଶି ଯା ଦେହେ ମଣ୍ଡିତ

ଯହୁଁ ଜାତ ଝର, ହ୍ରଦ, ସରସୀ, ସରିତ

ଆଉ କି ଏ ଜନ୍ମେ ତାହା ହେବ ବିଲୋକିତ ।

 

ସ୍ୱଦେଶର ରାଜଧାନୀ ମର୍ତ୍ତ୍ୟେ ଅତୁଳିତ

ଅଳକାପୁରୀ ଯାହାକୁ ଅଟେ ପରାଜିତ

ମଣି ମାଣିକ୍ୟ ଖଚିତ ଅନ୍ତରେ ଐଶ୍ୱର୍ଯ୍ୟାନ୍ୱିତ

ଅପୂର୍ବ ସୁନ୍ଦର ସୈାଧମାଳା ବିରାଜିତ

ବୀର, ରାଜା, ଧନୀ, ମାନୀ ପଣ୍ଡିତେ ପୂରିତ

ଏ ଦୀନ ଲୋଚନ ତହିଁ ହେବ କି ପତିତ

 

ମୋ ବିନତି ଶୁଣ ଆହେ ନୀଳରତ୍ନାକର

ପୃଥିବୀର ଚତୁଃପାର୍ଶ୍ୱେ ପ୍ରବେଶ ତୁମ୍ଭର

ତବଯୋଗେ ନରଗଣ ପାଉଛନ୍ତି ବହୁ ଧନ

ଦେଶର ସଭ୍ୟତା ବୃଦ୍ଧି ହୁଏ ନିରନ୍ତର

ଥରେ ମାତ୍ର ଏ ଦୁଃଖିକି ତୁମ୍ଭେ ଦୟା କର

ନିରାପଦେ ଉପକୂଳେ ନେଇଣ ଉଦ୍ଧର ।

 

ମୋର ନିବେଦନ ବାରେ ଶୁଣ ସମୀରଣ

ଜଗତପ୍ରାଣ ନାମକୁ କରିଛ ଧାରଣ

ଏ ଦୁଃଖିର ରଖ ପ୍ରାଣ ହେବ ତବ ଯଶ ମାନ

ଉଡ଼ାଇ ଆକାଶପଥେ ନିଅ ହେ ବହନ

ପର୍ବତ ଉଠାଅ ତୁମ୍ଭେ ଅତି ବଳବାନ

ଏ ନୁହେଁ କଠିନ ହେବ ସହଜେ ସାଧନ ।

 

ଆହେ ଦିନକର ମୋର ଶୁଣ ନିବେଦନ

ଏହି ନିରାଶ୍ରୟଠାରେ ପକାଅ ନୟନ

କେତେ ଜଳରାଶି ନିତି କରୁଛ ଆକାଶେସ୍ଥିତି

ସମୁଦ୍ର ସରିତ ସର କରିଣ ଶୋଷଣ

ମତେ ଦେଖି ଟେକି ଥରେ ଉଠାଅ ଗଗନ

ଯବନ ସାହାଯ୍ୟେ ହେବ ମୋଗୃହଗମନ ।

 

ଲଜ୍ଜାନାହିଁ ଆଶା ଯୋଗୁଁ କରେ ମ ବିନତି

ଏ ସବୁ ଜଡ଼ପଦାର୍ଥ କି ତାଙ୍କ ଶକତି

ଯେହୁ ନିତ୍ୟ ନିରାକାର ଯେ ଅନ୍ତର୍ଯ୍ୟାମୀଠାକୁର

ସନାତନ ନିରଞ୍ଜନ ଅଖିଳର ପତି

ଯେବେ ଦୟା ବହି ମୋତେ ଦେବେ ସେ ମୁକତି

ତେବେତ ପାରି ହୋଇବି ଏ ନୀଳାମ୍ବୁପତି ।

Image

 

ପୁରୁଷୋତ୍ତମର କେତେକ ଦୃଶ୍ୟ

 

ଆସ ଆସ ଦର୍ଶକ ଉଲ୍ଲାସ ହୋଇ,

କେତେ ଶୋଭା ଦେଖିବ ମନ ପୂରାଇ ।

ଦେଖ ସୁରମ୍ୟ ସର ରାଜେ ଏଠାରେ,

ନରେନ୍ଦ୍ର ନାମ ଯାର ଅଛି ମହୀରେ ।

କେଡ଼େ ପ୍ରଶସ୍ତ ଏହୁ ସୁମନୋହର,

ଦେଖି ଉଲ୍ଲାସ ହୁଏ ହୃଦୟାଗାର ।

ଚାରି ପାଶେ ସୋପାନ ଶିଳାଗ୍ରଥିତ,

ନିବିଡ଼ ପ୍ରାଚୀରରେ ଅଛି ବେଷ୍ଟିତ ।

ସରସୀ ଜଳେ ରାଜହଂସନିକର,

ସନ୍ତରଣ କରନ୍ତି କି ପଟାନ୍ତର ।

ପୁଣି ଦର୍ଶକ ଦେଖ ଚାରି ପାଶରେ,

ଅସଂଖ୍ୟ ଯାତ୍ରିଗଣ ଉଲ୍ଲାସଭରେ ।

କରୁଅଛନ୍ତି କେତେ ଗାତ୍ର ମାର୍ଜ୍ଜନ,

କେବା ତର୍ପଣ ଯୋଗଧ୍ୟାନେ ମଗନ ।

ଚାଲ ଦର୍ଶକ ପୁଣି ଏ ସ୍ଥାନ ଛାଡ଼ି,

ବିସ୍ତୀର୍ଣ୍ଣ ବଡ଼ଦାଣ୍ଡ ପଥକୁ ମାଡ଼ି ।

ସମ୍ମୁଖେ ଦେଖ ଅନାଥଙ୍କ ସଦନ,

ଈଶ୍ୱର ଆଶ୍ରା ଧରି କାଟନ୍ତି ଦିନ ।

ଧନ୍ୟ ଈଶ୍ୱରଙ୍କର କିବା ମହିମା,

ଜୀବରେ ତାଙ୍କ ଦୟା କେ କରେ ସୀମା ।

ସମ୍ମୁଖେ ଦେଖୁଅଛ ଯେଉଁ ସଦନ

ଏ ଅଟେ ରାଜ୍ୟେଶ୍ୱରଙ୍କର ଭବନ ।

ଗଜପତିଙ୍କ ଧ୍ୱଜା ମହୀତଳରେ,

ଉଡ୍ଡୀୟମାନ ହେଉଥିଲା କାଳରେ ।

ସେ ଏବେ ପେଡ଼ାସର୍ପ ସଙ୍ଗେ ସମାନ,

କାଳ ବେଳର ଖେଳ କେ କରେ ଆନ ।

ଚାଲ ଚାଲ ଦର୍ଶକ ଛାଡ଼ି ଏ ସ୍ଥାନ,

ଦେଖ ଅରୁଣସ୍ତମ୍ଭ ଦଣ୍ଡାୟମାନ ।

କେମନ୍ତ ସ୍ଥୂଳ ଏହା କି ଉଚ୍ଚତର,

ବୋଲନ୍ତି ଲୋକେ ସବୁ ଖଣ୍ଡେ ପ୍ରସ୍ତର ।

କ୍ରମେ ଏ ସିଂହଦ୍ୱାର ଦେଖ ଦର୍ଶକ,

କେଡ଼େ ଉନ୍ନତ ଏହା ଦେଖିଲେ ଦକ ।

ଭିତରେ ଦେଖ ଆସି ବଡ଼ ଦେଉଳ,

ଅତି ଉନ୍ନତ ପୁଣି କେଡ଼େ ସୁଢ଼ଳ ।

ପୂର୍ବକାଳରେ ରାଜା ‘‘ଅନଙ୍ଗଭୀମ’’,

କରି ଅଛନ୍ତି କୀର୍ତ୍ତି ଏ ଅନୁପମ ।

ଏଥିରୁ ଜଣାଯାଏ ଉତ୍କଳ ଲୋକ,

ଶିଳ୍ପନୈପୁଣ୍ୟେ ଥିଲେ କେଡ଼େ ବିବେକ ।

ଚତୁର୍ଦ୍ଦିଗରେ ଦେଖ ଅସଂଖ୍ୟ ଜନ,

କରନ୍ତି ସୁଖେ ମିଶି ଅନ୍ନଭୋଜନ ।

ଜାତିଭେଦ ସଂସ୍କାର ନାହିଁ ଏଠାରେ,

ଶୂଦ୍ର ଛୁଇଁଲେ ଦ୍ୱିଜ ଭୋଜନ କରେ ।

ଧନ୍ୟ ଧନ୍ୟ ଏ ପ୍ରଥା ପ୍ରଶଂସନୀୟ,

ଯେ ଏହା ଚଳାଇଛି ସେ ମାନନୀୟ ।

ସେ ଲୋକ ଧର୍ମଭାବ ଜାଣନ୍ତି କେହି,

ମୁଁ ଜାଣେ ସେହି ସତ୍ୟଧର୍ମୀ ଅଟଇ ।

ନୋହିଲେ ଏ ଉନ୍ନତ ଭାବ ତାଙ୍କର,

ହୋଇ ନ ଥାନ୍ତା କେବେ ହୃଦମଧ୍ୟର ।

କେଡ଼େ ସୁନ୍ଦର ସ୍ଥାନ ଜଗମୋହନ,

ଚତୁର୍ଦ୍ଦିଗରେ ବସି ଭକତଗଣ ।

ଈଶ୍ୱର ସ୍ତୁତିପାଠମାନ ପଢ଼ନ୍ତି,

ଦଣ୍ଡ ପ୍ରଣାମକରି ତହୁଁ ଚଳନ୍ତି ।

ଆହା ତାଙ୍କର ଅଟେ କେଡ଼େ ବିଶ୍ୱାସ,

ଦେଖି ମନେ ଅଶେଷ ମୋର ସନ୍ତୋଷ ।

ଆସ ଦର୍ଶକ ଦେଖ ସ୍ନାନମଣ୍ଡପ–

ଉପରେ ରହି ସିନ୍ଧୁଶୋଭାକଳାପ ।

ଘୋର ଗର୍ଜନେ ସିନ୍ଧୁଜନ ଉଠୁଚି,

ଜଗନ୍ନାଥଙ୍କୁ ଅବା ଉଚ୍ଚେ ଡାକୁଛି ।

ତରଙ୍ଗମାଳସବୁ କି ଶୋଭା ଧରି,

ନାଚି ଖେଳି ଆସନ୍ତି ଉପର୍ଯ୍ୟୁପରି ।

ଦେଖି ତରଙ୍ଗମାଳ ମନେ ହେଉଛି,

ସକୁଟୁମ୍ବେ ବାସୁକି ଅବା ଆସୁଛି ।

ବାଜିକରେ ଖେଳନ୍ତି ଖେଳ ଯେସନ,

ଜଳଚରଙ୍କ ଖେଳ ଅଟେ ତେସନ ।

ସାଗରଗର୍ଭୁଂ ଜଳ-କଣା ପବନ,

ଆଣି ଲୋକଙ୍କ ଦେହେ କରେ ଲେପନ ।

ଦେଖି ଏ ଅନୁପମ ଶୋଭାଚାତୁରୀ,

ହୃଦସାଗରୁ ଉଠେ ଭାବଲହରୀ ।

ଧନ୍ୟ ଧନ୍ୟ ସେ କର୍ତ୍ତା ଏ ଶୋଭାରାଶି,

କରିଅଛନ୍ତି ପ୍ରଭୁ ବୈକୁଣ୍ଠବାସୀ ।

Image

 

ଇନ୍ଦୁମତୀ ସ୍ୱୟମ୍ବର (ରଘୁବଂଶ)

 

ଯଶସ୍ୱୀ ପଣ୍ଡିତ ମହୀଭୂଷଣ

ବିଦର୍ଭାଧିପତି ଭୋଜରାଜନ

ସ୍ୱସା ଇନ୍ଦୁମତୀ ହେଲେଣି ଯୁବତୀ

ଜାଣି ସ୍ୱୟମ୍ବର କଲେ ବିଧାନ

ସଭାଗୃହ ହେଲା ଅତି ଶୋଭନ

ମଞ୍ଚରେ ବସିଲେ ରାଜେନ୍ଦ୍ର ଗଣ ।।

ବାଜିଲା ଶୁଭସୂଚକ ବାଦନ

କମ୍ପିଲା ଶବଦେ ବିଶ୍ୱଭବନ

ଜଗତମୋହିନୀ ଭୋଜଙ୍କ ଭଗିନୀ

ହେଲେ ନାନା ଅଳଙ୍କାରେ ମଣ୍ଡନ

ସଙ୍ଗରେ ସୁନନ୍ଦା ତାଙ୍କୁ ଘେନିଣ

ସଭାମନ୍ଦିରକୁ କଲା ଗମନ ।।

ଅନୁପମରୂପଲାବଣ୍ୟବତୀ

ଦେଖି ସେ ବାଳାଙ୍କୁ ସର୍ବନୃପତି

ନିମେଷଶୂନ୍ୟରେ ଏକନୟନରେ

ଚାହିଁଲେ ହୋଇଲା ଚଞ୍ଚଳମତି

କେବଳ ଆସନେ ଶରୀରସ୍ଥିତି

ମନ ନେତ୍ର କଲେ ତହିଁ ବସତି ।।

କିରୀଟେ କଲେ କେ କର ନିବେଶ

ରଖିଳେ କେ ଯଥାସ୍ଥାନରେ ବାସ

ନୃପନନ୍ଦିନିର ରୁଚିଭଙ୍ଗକର

ଯଦ୍ୟପି ହୋଇବ ଆମ୍ଭର ବେଶ

ବ୍ୟର୍ଥ ହେବ ଏ ସକଳ ପ୍ରୟାସ

ବୃଥା ହେବ କନ୍ୟା ଲଭିବା ଆଶ ।।

କେତେ ନୃପସୁତ ଭାବରେ ପୁଣି

ନୟନଭଙ୍ଗୀ କୋମଳଚାହାଣି

ବହୁତ ବିଳାସ କଲେକ ପ୍ରକାଶ

ଲଭିବା ଆଶାରେ ରାଜନନ୍ଦିନୀ

କନ୍ୟାଙ୍କୁ ସୁନନ୍ଦା ପ୍ରତିହାରିଣୀ

ସମ୍ବୋଧି କହିଲା ମଧୁରବାଣୀ ।।

ଏହି ମହୀପାଳ ମଗଧେଶ୍ୱର

ପୁଷ୍ପପୁର ରାଜଧାନୀ ୟାଙ୍କର

ରାଜା ‘‘ପରନ୍ତପ’’ ପ୍ରକାଶି ପ୍ରତାପ

ସାର୍ଥ କରିଛନ୍ତି ନାମ ନିଜର

ପ୍ରଜାଙ୍କ ପାଳନେ ଅତି ତତ୍ପର

ଦୈବକାର୍ଯ୍ୟେ ରତ ଏ ନୃପବର ।।

ଗଗନମଣ୍ଡଳେ ତାରକାପନ୍ତି

ଥାଇ ପ୍ରୟୋଜନ କାହିଁ ନୁହନ୍ତି

ଏକା ନିଶାପତି ହେତୁ ‘‘ଜ୍ୟୋତିଷ୍ମତୀ’’

ଯେସନେ ରାତ୍ରିକି ଲୋକେ ବୋଲନ୍ତି

ମେଦିନୀବକ୍ଷରେ ବହୁ ନୃପତି

ପରନ୍ତପ ହେତୁ ଏ ‘‘ରାଜସ୍ୱତୀ’’।।

ଯେବେ ମନୋନୀତ କର ସୁନ୍ଦରି

ନିଅ ପତିପଦେ ଏହାଙ୍କୁବରି

ନନ୍ଦିନୀ ଚାହିଁଲେ କିଛି ନ କହିଲେ

ଗଲେ ଭାବଶୂନ୍ୟ ପ୍ରଣାମ କରି

ସକଳେ ମଣିଲେ ରାଜକୁମାରି

ଗଣନା ନ କରି ଅଇଲେ ଫେରି ।।

ସରସୀଲହରୀ ରାଜହଂସିକୁ

ଏକପଦ୍ମଠାରୁ ଅନ୍ୟପଦ୍ମକୁ

ନିଅଇ ଯେସନ ସୁନନ୍ଦା ତେସନ

ନେଲା ସେ ରୂପସୀ ରାଜବାଳାକୁ

ଅନ୍ୟନରପତ୍ତିସନ୍ନିଧାନକୁ

ଦେଲା ତାହାଙ୍କର ପରିଚୟକୁ ।।

ଅଙ୍ଗଦେଶପତି ଏ ମହାଶୟ

ଏହାଙ୍କ ଐଶ୍ୱର୍ଯ୍ୟ ଅକଥନୀୟ

ସୁରନାରୀଗଣ ଯୌବନ ଲୋକନ

କଲେ ତାହାଙ୍କର ମୋହ ଉଦୟ

ଲକ୍ଷ୍ମୀ, ସରସ୍ୱତୀ ଦୁହିଁଙ୍କ ପ୍ରାୟ

ବରି; ଏହାଙ୍କର ହୁଅ ତୃତୀୟ ।।

ସୁନନ୍ଦାବଚନ ଶୁଣିଲେ କର୍ଣ୍ଣେ

ଚାଲ ବୋଲି ଠାରି ଦେଲେ ନୟନେ

ଅଙ୍ଗଦେଶେଶ୍ୱର ଅପୂର୍ବ ସୁନ୍ଦର

କି ଭାବ ଉଦିଲା ନନ୍ଦିନୀମନେ

ବିମୁଖ ହୋଇଲେ ତାଙ୍କ ବରଣେ

କିବା ଭିନ୍ନରୁଚି ଲୋକ କେ ଜାଣେ ।।

ଅବନ୍ତୀନାଥଙ୍କୁ ଦେଖ ସୁନ୍ଦରି

ସ୍ୱଭାବେ କେମନ୍ତ ରୂପମାଧୁରୀ

ଏହି ନରବର ମଣିମାଣିକ୍ୟର

ପ୍ରଭାରେ ଜାଜ୍ଜ୍ୱଲ୍ୟ ତପନ ପରି

ସୁବିଶାଳବକ୍ଷ ସୁବେଶଧାରୀ

ଦୀର୍ଘବାହୁ ଆହା କି ମନୋହାରୀ ।।

ମନରେ ହେଉଛି ଏ ଅନୁମାନ

ଗୁପ୍ତରେ କୌଣସି ଦେବନନ୍ଦନ

ତୁମ୍ଭରି ଆଶାରେ ଏ ରାଜସଭାରେ

କରିଣ ଅଛନ୍ତି ଶୁଭାଗମନ

ଏହାଙ୍କ ପ୍ରତାପେ ରାଜେନ୍ଦ୍ରଗଣ

ଅଛନ୍ତି ଚରଣେ ସଦା ଶରଣ ।।

ଅବନ୍ତୀନାଥଙ୍କ ରାଜଧାନୀରେ

‘‘ମହାକାଳ’’ ନାମେ ପୀଠସ୍ଥାନରେ

ଅଛନ୍ତି ଶଙ୍କର ନିକଟେ ତାହାର

ରାଜପୁର ରମ୍ୟ ହର୍ମ୍ୟ ଉପରେ

ଅବନ୍ତୀପତି ପ୍ରିୟାଙ୍କ ସଙ୍ଗରେ

ପ୍ରମୋଦ ବିହାର ରଜକାଳରେ ।।

ଶଙ୍କରଙ୍କ ଶିରଚନ୍ଦ୍ରକରରେ

କୃଷ୍ଣପକ୍ଷରାତ୍ର ଘନତିମିରେ

କୌମୁଦୀଉତ୍ସବ କରି ଅନୁଭବ

କାଟନ୍ତି ସମୟ ଆନନ୍ଦ ମନେ

ଏହାଙ୍କୁ ବରଗୋ ମୃଗନୟନେ

ସିପ୍ରା ନଦୀ ତୀର ରମ୍ୟଉଦ୍ୟାନେ-

ପ୍ରିୟତମ ସଙ୍ଗେ ସୁଖେ ବିହର

ଯୌବନଶିରିକି କୃତାର୍ଥ କର

ଯେହ୍ନେ କୁମୁଦିନୀ ଦେଖି ଦିନମଣି

ଅନୁରକ୍ତା ନୋହି ହୁଏ ଅନ୍ତର

ତେହ୍ନେ ଧନୀ ଦେଖି ସେ ନୃପବର

ଅନୁରକ୍ତା ନୋହି ହେଲେ ଅନ୍ତର ।।

ଏଥୁଅନ୍ତେ ସୁନନ୍ଦା ଯେ ବଚନ ବିସ୍ତାରି

କହିଲା ଚାତୁରୀ ବାଣୀ ଗୁଣ ଗୋ ସୁନ୍ଦରି

ଶୁଣିଥିବ ପୂର୍ବକାଳେ ଥିଲେ ଏକ ମହୀପାଳେ

ସୁବିଖ୍ୟାତ କାର୍ତ୍ତବୀର୍ଯ୍ୟ ନାମ ଯେ ତାଙ୍କରି

ଦେବଦତ୍ତପ୍ରସାଦେ ସହସ୍ରଭୁଜଧାରୀ

ବାହୁବଳେ ଅଷ୍ଟାଦଶଦ୍ୱୀପ ଅଧିକାରୀ ।।

ମହାରାଜ କାର୍ତ୍ତବୀର୍ଯ୍ୟ ରାଜତ୍ୱର କାଳେ

ଅପରାଧୀ ଜାଣୁଥିଲେ ନିଜଯୋଗବଳେ

ହସ୍ତରେ ଧରି କୋଦଣ୍ଡ ତଦ୍ଦଣ୍ଡେ ଦେବାକୁଦଣ୍ଡ

ହୋଇଣ ଅତି ପ୍ରଚଣ୍ଡ ଗମନ୍ତି ଚଞ୍ଚଳେ

କିସ କହିବା ଅଧିକ ତାହାଙ୍କର ବଳେ

କାରାବାସେ ଦଶଶିର ଥିଲେ ଏକ କାଳେ ।।

ସେ ବିଶୁଦ୍ଧ ବଂଶେ ଜନ୍ମ ଏହି ନରପତି

ସୁଶୀଳ ସୁବୋଧ ଧୀର ପ୍ରଶାନ୍ତ ମୂରତି

ଅନୂପ ଦେଶର ପତି ରାଜଧାନୀ ମାହିଷ୍ମତୀ

ନାମରେ ‘‘ପ୍ରତୀପ’’ ବୋଲି ଜଗତରେ ଖ୍ୟାତି

ଏହାଙ୍କ ପୁରୁରେ ‘‘ଲକ୍ଷ୍ମୀ’’ ଅଚଳା ଅଟନ୍ତି

ଚଞ୍ଚଳା ଅପବାଦକୁ ଘୁଞ୍ଚାଇ ଅଛନ୍ତି ।।

ବର ପ୍ରସାଦେ ‘‘ପ୍ରତୀପ’’ ପାଇଁ ହୁତାଶନ

ତୁଚ୍ଛ ମଣନ୍ତି ମନରେ ପର୍ଶୁରାମ ବାଣ

ଶୁଣ ଆଗୋ ବରାନନେ ଯେବେ ବସି ବାତାୟନେ

ନର୍ମଦା ନଦୀର ଶୋଭା କରିବ ଲୋକନ

ତେବେ କର ‘‘ବରମାଳା’’ ଏହାଙ୍କୁ ଅର୍ପଣ

ଏତେକ କହି ସୁନନ୍ଦା ହୋଇଲା ମଉନ ।।

ଶରଦେ ମେଘାବରଣମୁକ୍ତଶଶଧର

କମଳିନୀପକ୍ଷେ ଯେହ୍ନେ ଅସନ୍ତୋଷ କର

ତେସନ ଅନୂପ ଭୂପ ପ୍ରିୟଦର୍ଶନ ପ୍ରତୀପ

ହେଲେନାହିଁ ତାହାଙ୍କର ନେତ୍ରାନନ୍ଦକର

ଦେଖିଣ ସୁନନ୍ଦା ପୁଣି ଅନ୍ୟ ନୃପବର

ନିକଟକୁ ନେଇଯାଇ କହିଲା ମଧୁର ।।

ଯମୁନା ନଦୀର କୂଳେ ଶୁଣ ଗୋ ସୁନ୍ଦରି

‘‘ମଥୁରା’’ ନାମରେ ଅଛି ମନୋହର ପୁରୀ

ନୀପବଂଶେ ସମୁଦ୍ଭୂତ କୀର୍ତ୍ତିବନ୍ତ ଗୁଣାନ୍ୱିତ

ଏହି ବୀର ‘‘ସୁଷେଣ’’ ସେ ପୁରୀଦଣ୍ଡଧାରୀ

ସିଦ୍ଧାଶ୍ରମେ ଜନ୍ତୁଗଣ ହିଂସା ପରିହରି

ଥିଲା ପରି; ଗୁଣମାନେ ଅଛନ୍ତି ତାଙ୍କରି ।।

ଯମୁନାନଦୀଗର୍ଭରେ ‘‘କାଳୀୟ’’ ନାମରେ

ଏକ ମହା ଅଜଗରସର୍ପ ବାସ କରେ

ସର୍ପରାଜ ଏକବାରେ ଖଗରାଜଙ୍କ ଭୟରେ

ପଳାଇ ଶରଣ ଗଲେ ରାଜାଙ୍କ ଛାମୁରେ

ମହାରାଜ କାଳୀୟର ମୁକ୍ତିପ୍ରଦାନରେ

ଲଭିଛନ୍ତି ଏ ଅମୂଲ୍ୟ ମଣି ପୁରସ୍କାରେ ।।

କଣ୍ଠରେ ‘‘ସୁଷେଣ’’ ବୀର ମଣିକି ଧାରଣ

କରିବାରୁ ଦିଶୁଛନ୍ତି କେଡ଼େ ଶୋଭାବନ

କୌସ୍ତୁଭଧାରିଙ୍କ ଗର୍ବ ହୋଇଅଛି ଏଥି ଖର୍ବ

ଏହାଙ୍କୁ ପତିପଦରେ କଲେ ଗୋ ବରଣ

ନନ୍ଦନକାନନ ସମ ଯେଉଁ ‘‘ବୃନ୍ଦାବନ’’

ତହିଁରେ ସୁମୁଖି ସୁଖେ କରିବ ଭ୍ରମଣ ।।

ଅଗ୍ରବର୍ତ୍ତୀ ଶିଖରିର ଏକପାର୍ଶ୍ୱ ଦେଇ

ସ୍ରୋତସ୍ୱତୀ ନଦୀ ଯେହ୍ନେ ଭାଙ୍ଗିଣ ଗମଇ

ସେହିପରି ଇନ୍ଦୁମତୀ କଲେ ତହିଁ ବକ୍ରଗତି

ବିଧୁଆନନିକି ଚାହିଁ ସୁନନ୍ଦା କହଇ

ମହେନ୍ଦ୍ରଗିରି ସମୁଦ୍ର ନିକଟେ ଅଛଇ

ଏହି ବୀର ଅଧୀଶ୍ୱର ଅଟନ୍ତି ଗୋ ତହିଁ ।।

ଯେବେ ଏହାଙ୍କ ରମଣୀ ହେବ ଗୋ ସୁନ୍ଦରି

ବାତାୟନେ ଦେଖୁଥିବେ ସମୁଦ୍ରଲହରୀ

ତାଳୀବନର ମର୍ମର ଧ୍ୱନି ଶୁଣିବ କର୍ଣ୍ଣର

ସାଗରତୀରଲବଙ୍ଗପୁଷ୍ପଗନ୍ଧହରି

କେତେ ସୁଖ ଉଭୟରେ ଲଭିବି ସୁନ୍ଦରି

ନଟଳି ଏ ବାକ୍ୟେ ବାଳା ଗଲେ ଅନୁସରି ।।

ସୁନନ୍ଦା ଇନ୍ଦୁମତିଙ୍କି କଲା ସମ୍ବୋଧନ

ଖଞ୍ଜନାକ୍ଷି ବାରେ ଏଣେ ପକାଅ ନୟନ

ସମୁଦ୍ର ଅନତି ଦୂରେ ମଳୟଗିରି ପାଖରେ

‘‘ଉରଗ’’ ନାମରେ ପୁରୀ ଅଛି ବିଦ୍ୟମାନ

ପାଣ୍ଡୁରାଜ୍ୟ ଅନ୍ତର୍ଗତ ଅଟଇ ସେ ସ୍ଥାନ

ପାଣ୍ଡୁ ନାମରେ ବିଖ୍ୟାତ ଏ ଉହିଁ ରାଜନ ।।

ମହାରାଜ ପାଣ୍ଡୁ ବୀର ତପକୁ ସାଧିଣ

ଆଶୁତୋଷେ କରିଥିଲେ ବଶ୍ୟତାବିଧାନ

ତାଙ୍କଠାରୁ ଏକଶର ପାଇଛନ୍ତି ପୁରସ୍କାର

ଶଙ୍କିତ ସେ ଶର ଯୋଗେ ସର୍ବ ଶତ୍ରୁଗଣ

ସୂରପୁରଜୟଆଶେ ଏକଦା ରାବଣ

ଭୟେ ସନ୍ଧି କରିଗଲେ ଏହାଙ୍କ ସଙ୍ଗେଣ ।।

ଏ ନୃପତି ପ୍ରିୟା ହେଲେ ଏହାଙ୍କ ସହିତ

ମଳୟଉପତ୍ୟକାରେ ହୋଇଣ ଉଥିତ

ତାମ୍ଭୂଳଲତାଜଡ଼ିତ ଗୁବାକବୃକ୍ଷଶୋଭିତ

ଚନ୍ଦନତରୁରେ ଏଳାଲତା ସୁମଣ୍ଡିତ

କେମନ୍ତ ଅପୂର୍ବ ଶୋଭା ଦେବତାବାଞ୍ଛିତ

ଦେଖି ଗୋ ଏଣିନୟନି ହୋଇବ ମୋହିତ ।।

ଇନ୍ଦୀବର ପରି ଶ୍ୟାମବର୍ଣ୍ଣ ଏହାଙ୍କର

ଗୋରୋଚନା ତୁଲ୍ୟ ତୁମ୍ଭେ ସ୍ୱଭାବେ ଗଉର

ଏହାଙ୍କ ଅଙ୍କଶାୟିନୀ ହେଲେ ଗୋ ରାଜନନ୍ଦିନୀ

ସଚପଳା ମେଘମାଳା କରି ପରିହର

ଦୁହେଁ ଦୁହିଁଙ୍କ ପକ୍ଷରେ ହୋଇବ ସୁନ୍ଦର

ଏତକ ସୁନନ୍ଦା କହି ହେଲା ତହିଁ ସ୍ଥିର ।।

ସଂଚାରିଣୀ ଦୀପଶିଖା ରାତ୍ରରେ ଯେସନ

ଅତିକ୍ରାନ୍ତ ଗୃହାବଳୀ କରେ ତମାଚ୍ଛନ୍ନ

ଇନ୍ଦୁମତିଙ୍କ ଗମନେ ପୃଷ୍ଠଗତ ରାଜଗଣେ

ନିରାଶେ ମ୍ଳାନବଦନ ହୋଇଲେ ତେସନ

କନ୍ୟାଙ୍କ ଆଗମନକୁ କରି ପ୍ରତୀକ୍ଷଣ

ଆନନ୍ଦେ ରହିଲେ ପୁରୋବର୍ତ୍ତୀ ରାଜଗଣ ।।

ଭୁବନମୋହିନୀ ବାଳା ସେ ନୃପଦୁହିତା

ରାଜପୁତ୍ର ଅଜଙ୍କର ହେଲେ ସନ୍ନିହିତା

ଦକ୍ଷିଣବାହୁସ୍ପନ୍ଦନେ ବରଣଭ୍ରମଭଞ୍ଜନେ

ଯୁବରାଜ ଅଜ ହେଲେ ନିଃସନ୍ଦେହଚେତା

ମଧୁକରୀ ସହିକାରେ ଯେହ୍ନେ ଅନୁରତା

ରହିଲେ; ନୋହିଲେ ଧନୀ ଅନ୍ୟେ ଆକାଙ୍କ୍ଷିତା ।।

ଢଳିଚି ଅଜଙ୍କଠାରେ ଇନ୍ଦୁମତୀମନ

ଜାଣି ସୁନନ୍ଦା ବିସ୍ତାରି କଲାକ ବର୍ଣ୍ଣନ

ଏହି ଯେ ନୃପନନ୍ଦନ କନ୍ଦର୍ପରୂପଗଞ୍ଜନ

କୁମାରି ଏହାଙ୍କୁ ମନେ ସାମାନ୍ୟ ନ ମଣ

ସୂର୍ଯ୍ୟବଂଶେ ମନୁନାମେ ଥିଲେକ ରାଜନ

ମହାପୁରୁଷ ଇକ୍ଷ୍ୱାକୁ ତାହାଙ୍କ ନନ୍ଦନ ।।

ଏହି ବଂଶେ ଜାତ ପୁରଞ୍ଜୟ ନରପତି

ନ୍ତ୍ରିଲୋକେ ବିଦିତ ଅଛି ଯାହାଙ୍କର କୀର୍ତ୍ତି

ମହାରାଜ ପୁରଞ୍ଜୟ ପୁରନ୍ଦରଙ୍କର ସହ

ଐରାବତରେ ଆରୋହି ଅସୁର ମାରନ୍ତି

ଥର ଅସୁରଙ୍କୁ ଯୁଦ୍ଧେ ନ ପାରି ନୃପତି

ପିନାକୀବେଶକୁ ଧରି ଜୟ କରିଛନ୍ତି ।।

ବୃଷକକୁଦରେ ବସି କରିଥିଳେ ରଣ

ତହୁଁ କକୁସ୍ଥ ନାମକୁ କଲେକ ଧାରଣ ।

କୋଶଳର ରାଜଗଣ କାକୁସ୍ଥ ନାମ ପ୍ରଦାନ

କଲେ ଆପଣା ବଂଶକୁ ପବିତ୍ର ଭାବିଣ

କୁଳପ୍ରଦୀପ ଯଶସ୍ୱୀ ସୁଗୁଣସମ୍ପନ୍ନ

କକୁସ୍ଥ କୁଳରେ ଜାତ ଦିଲୀପ ରାଜନ ।।

ତାହାଙ୍କ ତନୟ ରଘୁ ଜଗତେ ବିଦିତ

ତାଙ୍କ ଯଶବର୍ଣ୍ଣନ ଆମ୍ଭର ସାଧ୍ୟାତୀତ

ଜଗଦାନନ୍ଦବର୍ଦ୍ଧକ ମହାତେଜା ସୁଦିବେ

ରଘୁତନୟ ଏ ଅଜ ଅତି ସୁଶିକ୍ଷିତ

ଏହାଙ୍କୁ କରିଣ ରଘୁ ରାଜ୍ୟେ ପ୍ରତିଷ୍ଠିତ

ଯୋଗସାଧନେ ନିବିଷ୍ଟ କରିଛନ୍ତି ଚିତ୍ତ ।।

ପିତଦତ୍ତରାଜ୍ୟଭାର କରିଣ ବହନ

ସୁନିୟମେ କରୁଛନ୍ତି ତାହା ସମ୍ପାଦନ

ଦେଖ ଗୋ ଚନ୍ଦ୍ରବଦନି, ନୃପକୁଳଚୂଡ଼ାମଣି

ଅପୂର୍ବ ସୁନ୍ଦରରୂପ କି ନବଯୌବନ

ଏହାଙ୍କ କଣ୍ଠରେ ମାଳା କଲେକ ଅର୍ପଣ

ହେବ ଦୁହିଙ୍କର ଯୋଗ ମଣିରେ କାଞ୍ଚନ ।।

ସ୍ୱାଭାବିକ ଲଜ୍ଜା ହେତୁ ସେ ମନୋହାରିଣୀ

ମାଳା ଅର୍ପିବାକୁ କହି ନ ପାରିଲେ ବାଣୀ

ତାଙ୍କ ମନୋଭାବ ଜାଣି ନ ଜାଣିଲାପରି ପୁଣି

ସୁନନ୍ଦା ବୋଇଲା ଆଗୋ ନରେନ୍ଦ୍ରନନ୍ଦିନି

ଅନ୍ୟ ନୃପଙ୍କର ହୁଅ ସମୀପବର୍ତ୍ତିନୀ

କଟାକ୍ଷନିକ୍ଷେପେ ମନା କଲେ ତାକୁ ଧନୀ ।।

ଉପମାତା ଧୃଷ୍ଟତାକୁ ଚିନ୍ତିଲେ ମନରେ

ବରମାଳା ନେଇ ଦିଅ କହିଲେ ସୁସ୍ୱରେ

ସୁନନ୍ଦା ଆଦେଶ ପାଇ ଅଜଙ୍କ ନିକଟେ ଯାଇ

ଶୁଭପୁଷ୍ପମୟୀ ମାଳା ଅର୍ପିଲା କଣ୍ଠରେ

ଇନ୍ଦୁମତୀବାହୁପାଶ ଅଛି ମୋ ଗଳାରେ

ଏହି ବୋଧ ଯୁବରାଜ କଲେ ଆନନ୍ଦରେ ।।

ଶରଚ୍ଚନ୍ଦ୍ରେ ଉପଗତା ଯେହ୍ନେ କୁମୁଦିନୀ

ଜଳନିଧିଅନୁଗତା ହୁଏ ମନ୍ଦାକିନୀ

ସେହିପରି ସମଗୁଣ ଏ ବରକନ୍ୟାବରଣ

ପୁରବାସିଙ୍କ ମୁଖରୁ ହେଲା ଏହିବାଣୀ ।

ଅଜଙ୍କ ପ୍ରଶଂସା ତହିଁ ରାଜାମାନେ ଶୁଣି

ବ୍ୟଥିତ କୁଣ୍ଠିତ ହେଲେ ତାହା କଷ୍ଟ ମଣି ।।

ପ୍ରାତଃକାଳେ ଏକପାର୍ଶ୍ୱେ ପଦ୍ମ ପ୍ରସ୍ଫୁଟିତ

ଅନ୍ୟପାର୍ଶ୍ୱେ କୁମୁଦିନୀ ହେଲେ ନିମିଳିତ

ଯେଉଁପରି ‘‘ସରୋବର’’ ହୋଇଥାଏ ଶୋଭାକର

ସେହିପରି ସ୍ୱୟମ୍ବରସ୍ଥଳ ସୁଶୋଭିତ

 

ବରପକ୍ଷଜନେ ତହିଁ ହେଲେ ପ୍ରମୁଦିତ

ଅନ୍ୟପକ୍ଷରାଜଗଣ ହୋଇଲେ ଲଜ୍ଜିତ ।।

Image

 

ଧ୍ରୁବଙ୍କ ପଳାୟନ ଜନିତ ସୁନୀତିଙ୍କର ରୋଦନ

 

ଅଭାଗିନୀ ଧ୍ରୁବମାତା ବିରସବଦନେ

ବ୍ୟାକୁଳିତ ହୋଇ ଦୁଃଖେ କରନ୍ତି ରୋଦନ

ହାୟ ! ଦୀନବନ୍ଧୋ ଡାକି ଧ୍ରୁବ ଅଦର୍ଶନେ

ଅଶ୍ରୁ ପରିପୂର୍ଣ୍ଣ ହେଲା ଯୁଗଳଲୋଚନ;

କାହିଁ ଗଲୁ ମୋ ଜୀବନ ରଙ୍କୁଣୀର ଧନ

ଏ ଅରଣ୍ୟମଧ୍ୟେ ମୋତେ କରି ଏକାକିନୀ

ବିଦୀର୍ଣ୍ଣ ହେଉଚି ହୃଦରେ ପ୍ରିୟଦର୍ଶନ

ବୋଲି ଛିନ୍ନତରୁପରି ଭୂତଳଶାୟିନୀ;

ସୁନୀତରୋଦନ ଶୁଣି ନିବିଡ଼କାନନ,

ପ୍ରତିଧ୍ୱନି ଛଳେ କଲା ସୁଦୀର୍ଘ ରୋଦନ

କ୍ଷଣାନ୍ତରେ ଧ୍ରୁବମାତା ଚୈତନ୍ୟ ଲଭିଲେ

ଦୀର୍ଘସ୍ୱରେ କୋହଭରେ କଲେକ ରୋଦନ,

ଜୀବନର ମୁଖଚନ୍ଦ୍ର ଆଉ ନ ଦେଖିଲେ

ଏ ଜୀବନ ରଖି ହେବ କିସ ପ୍ରୟୋଜନ;

ଶୁଣ ଶୁଣ ବସୁମତି ମୋର ନିବେଦନ

ଦୟା କରି ଦ୍ୱିଖଣ୍ଡିତ ହୁଅ ଗୋ ମେଦିନି,

ଜୀବନର ସବୁ ଆଶା କରି ଉଚ୍ଛେଦନ,

ତବଗର୍ଭେ ପ୍ରବେଶିବ ଏହି ଅଭାଗିନୀ ।

ଦିଗଜିତ ସମୁନ୍ନତ ଆହେ ତରୁଶ୍ରେଣି

ଦେଖିଚ କି ଆଜି ସର୍ବେ ରଙ୍କୁଣୀଧନକୁ,

କହିଦିଅ ତୃପ୍ତ ହେବେ ମୋର ଚକ୍ଷୁ ବେନି

ଦେଖି ସୁଖେ କୋମଳାଙ୍ଗ କୁମାର ଧ୍ରୁବକୁ;

ତରୁନିକେତନେ ଅଛ ଯେ ବିହଙ୍ଗଦଳ

ଏ ଦୁଃଖିନୀ ଦୁଃଖବାର୍ତ୍ତା କରରେ ଶ୍ରବଣ,

ଧ୍ରୁବ ବିନା ଏ ଜୀବନ ହେଉଛି ବିକଳ

ଧ୍ରୁବକୁ କି ଦେଖିଅଛ କହି ରଖ ପ୍ରାଣ ।

ଭୁବନବାହିନି ମାତଃ ଆଗୋ ସ୍ରୋତସ୍ୱୋତି

ତବ ସ୍ରୋତେ ବହମାନ ଧ୍ରୁବ କି ମୋହର,

ରଖିଚ କି ଲୁକ୍କାୟିତ କରି ମୋ ସମ୍ପତ୍ତି

ଦଅ ଦିଅ ମାତଃ ଆଉ ବିଳମ୍ବ ନ କର;

ଶୁଣ ମାତଃ ବନଦେବି ବନରାଜ୍ୟେଶ୍ୱରି,

ତବ ଦାସୀ ଅଭାଗିନୀ ଧ୍ରୁବର ଜନନୀ,

ହାୟ ପୁତ୍ରରତ୍ନ ତାର କିଏ ନେଲା ହରି

ଧୂଳିଧୂସରିତଦେହ ଲୁଟଇ ଧରଣୀ;

ମାତଃ ତୁମ୍ଭେ ଜ୍ଞାତ ହୁଅ ସକଳ ତୁରିତ

ତବ ଚକ୍ଷୁ ସବୁସ୍ଥଳେ ଅଛି ଉନ୍ମୀଳନ,

ହିଂସ୍ରଜନ୍ତୁ ରାକ୍ଷସେ କି ଧ୍ରୁବ କବଳିତ

ଜଳେ ନିପତିତ ଅବା କହ ଗୋ ବହନ ।

ହୋଇଲା ଆକାଶବାଣୀ ସୁନୀତିକର୍ଣ୍ଣରେ

ସ୍ଥିର ହୁଅ ସ୍ଥିର ହୁଅ ଧ୍ରୁବର ଜନନି,

ତବ ପୁତ୍ର ନିରାପଦେ ଅଛି ଏ ବନରେ

ତାର କୀର୍ତ୍ତି ଚିରକାଳ ଘୋଷିବ ମେଦିନୀ,

ସେ ପୁତ୍ର ସାମାନ୍ୟ ନୁହେଁ ଅତି ତେଜେଶ୍ୱର

କି କରିବେ ବନଚର ହିଂସ୍ରଜନ୍ତୁଗଣ,

ପ୍ରତିଜ୍ଞାପାଶରେ ବଦ୍ଧ ତାହାର ଅନ୍ତର

ପାଇଲେ ଫେରିବ ଧ୍ରୁବ ସେହି ନିତ୍ୟଧନ ।

Image

 

ଶମନପ୍ରତି

 

ଆଶ୍ଚର୍ଯ୍ୟକ୍ଷମତା ତୋର ଅଛିରେ ଶମନ

ତୋର କ୍ଷମତାରେ ବାଧ୍ୟ ନୁହେଁ କେଉଁ ଜନ,

ଦେଖାଉଛୁ ଜୀବଗଣେ ‘‘ଅସ୍ଥିରତା’’ ଅନୁକ୍ଷଣେ

ଜଗତରେ କିଛି ରହୁନାହିଁ ବିଦ୍ୟମାନ

ପଦ୍ମପତ୍ରଜଳ କିମ୍ବା ବିଦ୍ୟୁତ ସମାନ ।୧।

 

ନାନାରୂପ ଖେଳ ତୋର ଅତିଚମତ୍କାର

ଦେଖି ମନେ ହୁଏ ମୋର ବିସ୍ମୟ ଅପାର

କେତେ ଲୋକ ‘‘ଆଶାତରୀ’’ ଡୁବାଉ ସମୂଳକରି

କେତେ ଭାଙ୍ଗି ଚୂରି ରଖୁ ଭସ୍ମ ମାତ୍ର ସାର

ନିଷ୍ଠୁରଭାବକୁ ଧରୁ ନ କରୁ ବିଚାର ।୨।

 

ତୋର ସହଚର ମୃତ୍ୟୁ ଚଉଷଠି ରୋଗ

ମାନବଶରୀର ସଦା କରୁଛନ୍ତି ଭୋଗ

ବଳ ବୀର୍ଯ୍ୟ ରକ୍ତ ମାଂସ କ୍ରମେ କ୍ରମେ କରି ଗ୍ରାସ

ତୋ ହସ୍ତେ ‘‘ଜୀବନଦୀପ’’ କରନ୍ତି ପ୍ରୟୋଗ,

ପ୍ରବଳ ନିଶ୍ୱାସେ ତୋର ହୁଏ ସେ ବିୟୋଗ ।୩।

 

ଏ ଭୂମିମଣ୍ଡଳେ ଜାତ ହୋଇ ବୀରଗଣ

ନାନା ଖେଳ କଉତୁକ କଲେ ସଂଘଟନ

ସାଜି କେତେ ରଣସଜ୍ଜା ଉଡ଼ାଇଲେ ଜୟଧ୍ୱଜା

ତୋ ସଙ୍ଗେ ଘଟିଲା ପୁଣି ଯେବେ ତାଙ୍କ ରଣ ।

ପରାଜିତ ହୋଇ କଲେ ଅନନ୍ତଶୟନ ।୪।

 

ସାହସଶିଖରୀଚୂଡ଼ା କରି ଆରୋହଣ

କରିବ ସ୍ୱଦେଶ ଦୁଃଖ ସମୂଳେ ଛେଦନ

ଏଡ଼େ ବଳ ଆଶା ଯାର ତୋର କ୍ଷମତାରେ ତାର

କି କ୍ଷମତା ଏକପଦ କରିବ କ୍ଷେପଣ

ସବୁ ପରିହରି କରେ ଭୂତଳେ ଶୟନ ।୫।

 

ସୁକୁମାର ସ୍ନେହାଧାର ଅପୂର୍ବସୁନ୍ଦର

ସୁଧାକରସମ ମୁଖ ସୁମଧୁର ସ୍ୱର

ଏରୂପ କୁମାର କୋଳେ ଧରି ମାତା ସ୍ନେହଭୋଳେ

ଭବିଷ୍ୟତ ସୁଖରାସି ଭାବନ୍ତି ମନର ।୬।

ମରୀଚିକାସମ ସୁଖ କରୁ ତୁ ତାଙ୍କର

ଅନୁପମା ମନୋରମା ସୁଶୀଳା କାମିନୀ

ପ୍ରତିବିମ୍ବସମ୍ୟ ସ୍ୱାମୀସଙ୍ଗବିହାରିଣୀ

କ୍ଷଣେ ସ୍ୱାମୀ ଅଦର୍ଶନ ଯେ ମଣେ ବଜ୍ରପତନ

ସେ ପୁଣି ଧରାଶାୟିନୀ ଚିରବିରହିଣୀ ।

ତୋ ତୀକ୍ଷ୍ଣଛୁରିକା ଏକା ସେ ପ୍ରେମଘାତିନୀ ।୭।

Image

 

ପ୍ରଭାତ

 

ବିଗତା ରଜନୀ ହେଲା ପ୍ରଭାତ

ପୂର୍ବର ଆକାଶ ହୋଇଲା ବିକାଶ

ଧୀରେ ଧୀରେ ବହେ ଶୀତଳ ବାତ ।୧।

 

ପକ୍ଷୀଗଣ କଲେ ସଙ୍ଗୀତ ଗାନ

ବିଟପୀ ଉପରେ ଶାଖାସଦନରେ

ବସି ଆନନ୍ଦରେ, ମୋହିତ ପ୍ରାଣ ।୨।

 

ସଞ୍ଚିତଶିଶିର ବୃକ୍ଷପର୍ଣ୍ଣରେ

ପଡ଼େ ଧରାତଳ ଦିଶେ ମୁକ୍ତାଫଳ

ସମାନ, ମାନବ ମାନସ ହରେ ।୩।

 

ପୂର୍ବଦିଗଦ୍ୱାର ଫେଡ଼ ବହନ

ଲୋହିତବରଣ ଉଠିଲା ତପନ

ଛାଡ଼ିଲା ମେଦିନୀଖଣ୍ଡେ କିରଣ ।୪।

 

ଶିଖରୀଚୂଡ଼ାରେ ତପନକର

ପଡ଼ି କିବା ଶୋଭା      ଅତି ମନୋଲୋଭା

ହେମମୟ ଦିଶୁଅଛି ଶିଖର ।୫।

 

ପାଇ ନିଜପତିତପନଭାତି ।

ସରସିଂହାସନେ ସହାସ୍ୟବଦନେ

ପଦ୍ମନୀ ପ୍ରକାଶେ ନିର୍ମ୍ମଳକାନ୍ତି ।୬।

 

ଭୟେ ନିଶାଚରବିହଙ୍ଗମାନେ

ପର୍ବତକନ୍ଦରେ ଅରଣ୍ୟପ୍ରାନ୍ତରେ

ରହିଲେ ବୃକ୍ଷର ନିବିଡ଼ସ୍ଥାନେ ।୭।

 

ଉନ୍ମତ୍ତ ହୋଇଣ ଭ୍ରମରଚୟ

ପୁଷ୍ପିତ ଉଦ୍ୟାଦ ମଧ୍ୟେ ମଧୁପାନ

କଲେ ଗୁଞ୍ଜରବ ଆନନ୍ଦମୟ ।୮।

 

ଶଯ୍ୟା ତ୍ୟାଗ କରି ଧାର୍ମିକଗଣ

ପବିତ୍ର ଭାବରେ ଏକାନ୍ତ ମନରେ

କଲେ ବିଶ୍ୱପତିନାମ ଭଜନ ।୯।

 

ଗୋପାଳେ ଗୋଧନ ଘେରି ଚଳିଲେ

କୃଷିଜୀବୀଗଣ କ୍ଷେତ୍ରକରଷଣ

ମାନସେ କ୍ଷେତ୍ରକୁ ଧୀରେ ଗମିଲେ ।୧୦।

 

ଯେ ଯାହାର କାର୍ଯ୍ୟେ ନିବିଷ୍ଟଚିତ୍ତ

ଅଳସୁଆନର ନିଜକଳେବର

କେବଳ ଶଯ୍ୟାରେ କଲେ ଭୂଷିତ ।୧୧।

Image

 

ନୀତି

 

ବଞ୍ଚକ ସଙ୍ଗେ ବନ୍ଧୁତା କରେ ଯେଉଁ ଜନ,

ନଷ୍ଟ ହୁଏ ଧନ ମାନ ନଷ୍ଟ ହୁଏ ତାର ପ୍ରାଣ

ବଞ୍ଚକ ଅଟଇ କାଳସର୍ପର ସମାନ ।୧।

 

କପଟତା ପରିହରି ସରଳତା ଧର,

ତେବେ ହେବ ମହାସୁଖ ଦୂର ହେବ ସବୁ ଦୁଃଖ

କପଟତା ଅଟେ ସବୁ ଦୋଷର ଆକର ।୨।

 

ଦୟାବତୀ ବସୁମତୀ କରେ ଯଥା ଦାନ,

ସେହିପରି ବିଜ୍ଞଜନ ଯଥାଶକ୍ତି ବିତରଣ

କରେ ଧନ ଦୀନଜନେ, ପାଏ ସ୍ୱର୍ଗସ୍ଥାନ ।୩।

 

ଅଗାଧ ଗମ୍ଭୀର ଅଟେ ଯଥା ରତ୍ନାକର,

ସାଧୁହୃଦପାରାବାର ସୁଗମ୍ଭୀର ସେ ପ୍ରକାର

ବିପରୀତ ଅଟେ ପୁଣି ଅସାଧୁ ଅନ୍ତର ।୪।

 

କର୍କଶସ୍ୱରରୁ ଯଥା କାକ ନିନ୍ଦନୀୟ,

କଠୋର ବଚନ ଯାର ଲୋକ ତଥା ନିନ୍ଦା ତାର

କୋମଳବଚନଭାଷୀଲୋକ ମାନନୀୟ ।୫।

 

ସର୍ବଦା ସନ୍ତୁଷ୍ଟ ଥାଏ ସାଧୁଜନମନ,

ଅସାଧୁ ଅସତଚିତ୍ତ ସଦା ଲୋଭେ ଆକର୍ଷିତ

ଦୁରାଶାବାରିଧି ତାର ନ ହୁଏ ପୂରଣ ।୬।

 

ପଦ୍ମହୀନସରୋବର ଯଥା ଅସୁନ୍ଦର,

ଦୟାହୀନ ଯେଉଁ ନର ହୁଏ ତାର ଅନାଦର

ଅନ୍ୟ ଗୁଣେ ତତୋଽଧିକ ନୁହେଁ ଶୋଭାକର ।୭।

 

ବିଶୁଦ୍ଧ ସରଳମତି ଦୟାଳୁ ଯେ ଜନ,

ପର ଆପଣା ବିଚାର ଛାଡ଼ି ଲୋଭ ଅହଂକାର

ଆତ୍ମବତ ସର୍ବଭୂତେ କରନ୍ତି ଦର୍ଶନ ।୮।

 

ଐଶ୍ୱରିକ ନିୟମ ଯେ କରଇ ଲଙ୍ଘନ,

ରୋଗେ ସଦା ଆତ୍ମଗ୍ଳାନି ଦୀନ ଦୁଃଖୀ ଧନୀ ମାନୀ

ସକଳେ ଲଭନ୍ତି ସମ ଭାବରେ ଶାସନ ।୯।

 

ସକଳ ଦୁର୍ବଳ ପ୍ରତି କରେ ଅତ୍ୟାଚାର,

କିନ୍ତୁ ଜଗତଈଶ୍ୱର ଦେବେ ଦଣ୍ଡ ଗୁରୁତର

ନିରପେକ୍ଷଭାବେ ହେବ ସେଠାରେ ବିଚାର ।୧୦।

 

ବହୁ ଯତ୍ନେ ହୁଏ ସତ ଧନ ଉପାର୍ଜିତ,

ଧନଠାରୁ ବଡ଼ ମାନ ମାନହୀନେ ମୃତ୍ୟୁଜ୍ଞାନ–

କରି ଧନ ଛାଡ଼ି ମାନ ରଖିବା ବିହିତ ।୧୧।

 

ପରଉପକାରେ ଧନ ଲାଗେ ସଜ୍ଜନର,

ସମୁଦ୍ରର ରତ୍ନମଣି ପୃଥିବୀର ହୀରାଖଣି

ମନୁଷ୍ୟର କାର୍ଯ୍ୟେ ଲାଗେ କି ହୁଏ ତାଙ୍କର ।୧୨।

 

ଅମୂଲ୍ୟ ସମୟ ବୃଥା ନ କର ହରଣ,

ନଦୀସ୍ରୋତେ ଗିରିଝର ପରି ଗତି ସମୟର

ଗତକାଳ ସଙ୍ଗେ ତବ ନ ହେବ ମିଳନ ।୧୩।

 

ପରନିନ୍ଦା ପରହିଂସା ପର ଅପକାର,

ନିତ୍ୟ ନିତ୍ୟ ସାଧେ ଖଳ ହୋଇ ଅତି କୁତୂହଳ

ନିଜଦୋଷ ସଂଶୋଧନ ନ କରେ ବିଚାର ।୧୪।

 

ସୂର୍ଯ୍ୟାଲୋକେ ଅନ୍ଧକାର ହୁଏ ଯଥା କ୍ଷୀନ୍ନ,

ତଥା ବିଦ୍ୟାର ଆଲୋକ ନାଶ କରେ ଦୁଃଖ ଶୋକ

ଦୁଷ୍ପ୍ରବୃତ୍ତିଚୟ ସବୁ ହୁଅନ୍ତି ମଳିନ ।୧୫।

 

 

ଘନୋଦୟେ ପୂର୍ଣ୍ଣଚନ୍ଦ୍ରଆଭା ବିନାଶିତ,

ମନ୍ଦ ଲୋକ ଯଦି ଆସେ ମିଳେ ସଜ୍ଜନର ପାଶେ

ସଜ୍ଜନସ୍ୱଭାବଆଭା କରେ କଳଙ୍କିତ ।୧୬।

 

ଦିବାରଜନୀର ଯଥା ହୁଏ ଆବର୍ତ୍ତନ,

ସେହିପରି ଏ ପ୍ରକୃତି ମାନବମାନସମ୍ପତ୍ତି

ସୁଖ ଦୁଃଖ ରୋଗ ଶୋକ ହୁଅନ୍ତି ଘଟନ ।୧୭।

 

ଅନ୍ଧ ନ ଦେଖେ ଯେପରି ପ୍ରକୃତି ଆକାର,

ଅଳସ ଶ୍ରମକାତର ମୂର୍ଖ ନିରୁତ୍ସାହୀନର

ନ ଦେଖଇ ଧନ ମାନ ଜ୍ଞାନ ପାରାବାର ।୧୮।

 

କ୍ଷୁଦ୍ର କ୍ଷୁଦ୍ର ତୃଣେ ଯଥା ରଜ୍ଜୁ ସଂଘଟନ,

ବହୁଜନ ଏକମନ ହେଲେ ଐକ୍ୟତାସାଧନ

ସେହି ବଳେ ମିଳେ ସୁଖସ୍ୱାଧୀନତା ଧନ ।୧୯।

 

ନାନାସୁଖ ହୁଏ ବିଦ୍ୟା ଧନ ମାନ ପାଇ,

କିନ୍ତୁ ଯେ ପ୍ରକୃତ ସୁଖ ସେ ସୁଖେ ସର୍ବେ ବିମୁଖ

ସେହି ସୁଖ ‘‘ଶାନ୍ତିସୁଖ’’ ଧର୍ମେ ଅନ୍ୟେ ନାହିଁ ।୨୦।

Image